Unknown

ନବୀନ ସମ୍ରାଟ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

 

ସମ୍ରାଟ ପଞ୍ଚମଜର୍ଜ୍ଜ

 

ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ ଓ ସମ୍ରାଜ୍ଞୀ ଆଲେକଜାଣ୍ଡା, ଆମ୍ଭମାନଙ୍କର ନବୀନ ସମ୍ରାଟ ପ୍ରେଂଡ଼ରିକ ଆର୍ଣ୍ଣେଷ୍ଟ ଏଲବାର୍ଟ ଜର୍ଜ୍ଜଙ୍କର ଜନକ ଜନନୀ । ସପ୍ତମ ଏଡ଼ୋୟାର୍ଡ଼ ଲୋକାନ୍ତର ଗମନ କରିବାରୁ ଜର୍ଜ୍ଜପିତୃ ସଂହାସନରେ ଆରୋହଣ କରିଅଛନ୍ତି । ସେ ବର୍ତ୍ତମାନ ଆମ୍ଭମାନଙ୍କର ଭାଗ୍ୟ ବିଧାତା । ତାଙ୍କର ପରିଚୟ ପ୍ରାପ୍ତହେବା ସମସ୍ତଙ୍କର ଅଭିପ୍ରେତ ଓ ଉଚିତ ମନେ କରି ତାଙ୍କର ପୂର୍ବବିବରଣ ଅତି ସଂକ୍ଷେପରେ ନିମ୍ନରେ ପ୍ରକାଶ କରୁଅଛୁଁ ।

 

ଜର୍ଜ୍ଜ ପିତା ମାତାଙ୍କର ଦ୍ୱିତୀୟପୁତ୍ର । ସେ ୧୮୭୫ ଖ୍ରୀଃ ଜୁନମାସ ୩ ତାରିଖଦିନ ମାରଲବରା ରାଜପ୍ରସାଦରେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ତାଙ୍କର ପିତାମହୀ ମହାରାଣୀ ଭିକ୍ଟୋରିୟା ମହାସମାରୋହରେ ନବଜାତ ନପ୍ତାଙ୍କର ଜନ୍ମୋତ୍ସବ କ୍ରିୟା ସମ୍ପନ୍ନ କରିଥିଲେ ।

 

ମହାରାଣୀ ଆଲେକଜାଣ୍ଡା, ନବଜାତ ପୁତ୍ର ଜର୍ଜ୍ଜଙ୍କ ସହିତ ସୂତିକ ଗାରରେ ଥିବା ସମୟରେ ହଠାତ୍‌ସେ ଗୃହରେ ଅଗ୍ନି ଲାଗିଲା । ସମ୍ରାଟ ଅଗ୍ନିବେଷ୍ଟିତ ଗୃହରୁ ନିଜ ପ୍ରାଣର ମମତା ପରିତ୍ୟାଗ କରି ପତ୍ନୀ ଓ ପୁତ୍ରଙ୍କୁ ଉଦ୍ଧାର କରିଥିଲେ । ଏହି ବିପଦର କିଛିକାଳ ପରେ ମହାରାଣୀ ଭିକ୍ଟୋରିୟା ସମାରୋହ-ପୂର୍ବକ ନାତିଙ୍କ ନାମକରଣୋତ୍ସବ ଅନୁଷ୍ଠାନ କରି ତାହାଙ୍କୁ ‘‘ପ୍ରିନ୍‌ସଜର୍ଜ୍ଜ’’ ନାମରେ ଅଭିହିତ କଲେ ।

 

ଜର୍ଜ୍ଜଙ୍କ ଜନ୍ମସମୟକୁ ତାଙ୍କର ଜ୍ୟେଷ୍ଠଭ୍ରାତା ପ୍ରିନ୍‌ସ ଏଲବାର୍ଟ ଭିକ୍ଟରଙ୍କ ବୟସ ୧୮ ମାସ ମାତ୍ର । ଉଭୟ ଭ୍ରାତା ଏକତ୍ର ରାଜଧାତ୍ରୀଙ୍କଦ୍ୱାରା ପ୍ରତିପାଳିତ ହେଉଥିଲେ । ଉଭୟ ଭ୍ରାତାଙ୍କର ଆକୃତିଗତ ସୌସାଦୃଶ୍ୟ ଥିଲା; ସେମାନେ ସର୍ବଦା ସଙ୍ଗ ହୋଇ ରହିବା ସୁଖକର ମଣୁଥିଲେ । ଉଭୟଙ୍କର ଆକୃତିଗତ ସମତା ଥିଲେମଧ୍ୟ ପ୍ରକୃତିଗତ ଏକତା ନ ଥିଲା । ତଥାପି ସେମାନଙ୍କ ମଧ୍ୟରେ ଯେଉଁ ପ୍ରଣୟ ଓ ସୌଭ୍ରାତ୍ରଭାବ ଥିଲା, ତାହା ଅତୁଳନୀୟ । ଜ୍ୟେଷ୍ଠ ରାଜକୁମାର ଜୀବଜନ୍ତୁଙ୍କ କାହାଣୀ କହିବା-ଶୁଣିବାକୁ ଭଲପାଉଥିଲେ, କିନ୍ତୁ ଦ୍ୱିତୀୟ କୁମାର ମୌନଭାବରେ ରହିବା ପ୍ରୀତିକର ମଣୁଥିଲେ । ଏଥିପାଇଁ ନାମ ଲୋକେ ତାଙ୍କୁ ‘‘ମୌନୀଜର୍ଜ୍ଜ’’ ( George the Silent ) ନାମ ପ୍ରଦାନ କରିଥିଲେ । ଜର୍ଜ୍ଜ ମୌନୀ ହେଲେ ମଧ୍ୟ ଉଦାର, ସ୍ନେହମୟ ଜ୍ୟେଷ୍ଠ ଭାତାଙ୍କ ନିକଟରେ ହୃଦୟର ଦ୍ୱାରମୁକ୍ତ କରି କଥୋପକଥନ କରିଥାନ୍ତି ।

 

ଜର୍ଜ୍ଜ ଶୈଶବ କାଳରେ କିଞ୍ଚିତ୍‌ ଦୁରନ୍ତ ଥିଲେ ମଧ୍ୟ ତାଙ୍କ ଚରିତ୍ର ବଶବର୍ତ୍ତିତାର ବୀଜ ଉପ୍ତ ହୋଇଥିଲା । ଉଭୟ ଭ୍ରାତା କେବେ ସୁଦ୍ଧା ପିତାମାତା, ଗୁରୁଜନ ବା ଶିକ୍ଷକ ମାନଙ୍କର ଆଦେଶ ଲଙ୍ଘନ କରି ଥିବାର ଶୁଣାଯାଇନାହିଁ ! ଦିନେ ସମ୍ରାଟ ସପ୍ତମ ଏଡୋୟାର୍ଡ ସପରିବାରରେ ଆପଣାର ଜନନୀ ଦେବୀ ପ୍ରାତଃସ୍ମରଣୀୟା ମହାରାଣୀ ଭିକ୍ଟୋରିୟାଙ୍କ ସାକ୍ଷାତ ନିମନ୍ତେ ବକିଂହାମ୍‌ ପ୍ରାସାଦକୁ ଯାଇଥିଲେ । ପ୍ରିନ୍‌ସଜର୍ଜ୍ଜ ସେମାନଙ୍କ ମଧ୍ୟରେ ଜଣେ । ସେ ଏହି ଗୋଷ୍ଠୀ ସମାଗମ ସମୟରେ ବାଳସୁଲଭ ଚାପଲ୍ୟ ପ୍ରକାଶ କରିବାକୁ ଶାସନ ନିମନ୍ତେ ମହାରାଣୀ ଭିକ୍ଟୋରିୟା ତାଙ୍କୁ ଟେବଲତଳେ ବସି ରହିବାକୁ ଆଦେଶ ପ୍ରଦାନ କଲେ । ଆଜ୍ଞାବର୍ତ୍ତୀ ଜର୍ଜ୍ଜ ତତ୍‌କ୍ଷଣାତ୍‌ଟେବଲ ତଳକୁ ଯାଇ ଶାନ୍ତ-ଶିଷ୍ଟଭାବରେ ବସି ରହିଲେ, ମହାରାଣୀ ଚପଳ ପୁତ୍ରର ଅକାଳଗାମ୍ଭୀର୍ଯ୍ୟ ଓ ସ୍ଥୈର୍ଯ୍ୟ ଦେଖି କିଛିକ୍ଷଣ ପରେ ‘‘ଜର୍ଜ୍ଜ ଅତିଶାନ୍ତଶିଶୁ’’ ବୋଲି କହି ତାଙ୍କୁ ଟେବଲ ତଳୁ ଆସିବାନିମନ୍ତେ ଆଦେଶ ଦେଲେ । ଜର୍ଜ୍ଜ ଯେ କେବଳ ଟେବଲତଳେ ବିନା କାର୍ଯ୍ୟରେ ନୀରବ ଭାବରେ ବସି ରହିଥିଲେ ଏପରି ନୁହେ,-ସେ ବସି ବସି ନିଜର ପରିଧେୟ ବସ୍ତ୍ରମାନ ଖୋଲି ବାହାରକରି ପକାଇଥିଲେ । ମହାରାଣୀଙ୍କର ଡ଼ାକ ଶୁଣିବାମାତ୍ରେ ନଗ୍ନ ଶରୀରରେ ଟେବଲତଳୁ ବହିର୍ଗତ ହେଲେ । ତେତେବେଳେ ଜର୍ଜ୍ଜଙ୍କୁ ଉଲଗ୍ନ ଦେଖି କେହି ହାସ୍ୟ ସମ୍ୱରଣ କରିପାରି ନ ଥିଲେ ।

 

ସ୍ନେହଶୀଳ ପିତା ମାତା ଶୈଶବକାଳରୁ ସନ୍ତାନମାନଙ୍କର ସୁରକ୍ଷା ଓ ଚରିତ୍ରରକ୍ଷା ବିଷୟରେ ଯଥାସାଧ୍ୟ ସତର୍କତାବଲମ୍ୱନ ଓ ଚେଷ୍ଟା କରୁଥିଲେ । ପୁତ୍ରଦ୍ୱୟ ଉପଯୁକ୍ତ ବୟସରେ ପଣ୍ଡିତପ୍ରବର ଧର୍ମ୍ମଯାଜକ ଡ୍ୟା‌ଲଟନ ସାହେବଙ୍କ ନିକଟରେ ବିଦ୍ୟା ଶିକ୍ଷା କରିବା ଆରମ୍ଭ କଲେ । ଡ୍ୟା୍‌ଲ୍‌ଟନଙ୍କ ଉପରେ ଶିକ୍ଷାଭାର ନ୍ୟସ୍ତ ଥିଲେ ମଧ୍ୟ ମହାରାଣୀ (ତେତେବେଳେ ଯୁବରାଜ୍ଞୀ ) ଆଲେକ୍‌ଜାଣ୍ଡ୍ରା ପୁତ୍ରମାନଙ୍କ ନିମନ୍ତେ ପାଠ୍ୟପୁସ୍ତକ ନିର୍ବ୍ବାଚନ କରି ଦେଉଥିଲେ ଏବଂ ସେମାନଙ୍କ ଶିକ୍ଷାବୃଦ୍ଧି ବିଷୟରେ ନିଜେ ମଧ୍ୟ ଯତ୍ନ କରୁଥିଲେ । ବାଲ୍ୟକାଳରୁ ସେମାନଙ୍କର ଯେପରି ଚରିତ୍ର ସୁଗଠିତ ହୁଏ ଏବଂ ସେମାନେ ଧାର୍ମ୍ମିକ ଓ ବିନୀତ ହୁଅନ୍ତି ତହିଁପ୍ରତି ସେ ବିଶେଷ ଦୃଷ୍ଟି ରଖିଥିଲେ । ‘‘ବିଳାସିତା ଓ ଦାମ୍ଭିକତା ସର୍ବ୍ବନାଶର ମୂଳ’’ ଏହା ପୁତ୍ରମାନଙ୍କ ମନରେ ଦୃଢ଼ବଦ୍ଧ କରିଦେବାପାଇଁ ସେ ସର୍ବଦା ସେମାନଙ୍କୁ ସାଧାରଣ ପୋଷାକ ପରିଚ୍ଛଦ ପ୍ରଦାନ କରିଥାନ୍ତି ଏବଂ ସାଧାରଣ ଲୋକଙ୍କସହିତ ମିଳି ମିଶି ସର୍ବ୍ବଦା ସଦୟ ଓ ଉଦାର ବ୍ୟବହାର କରିବାନିମନ୍ତେ ଉପଦେଶ ପ୍ରଦାନ କରିଥାନ୍ତି । ଜନକ ଜନନୀ ଏବଂ ଶିକ୍ଷାଦାନ ପ୍ରଣାଳୀ ଓ ଉପଦେଶ ଫଳରେ କୁମାର ଦ୍ୱୟ ଆଦର୍ଶ ବାଳକ ବୋଲି ସମସ୍ତଙ୍କ ନିକଟରୁ ଅଶେଷ ପ୍ରଶଂସା ଲାଭ କରିଥିଲେ ।

 

ଯେତେବେଳେ ବୟସ ୧୨/୧୩ ବର୍ଷ ସେତେବେଳେ ତାଙ୍କୁ ରାଜ୍ୟର ଉତ୍ତରାଧିକାରୀ ରୂପେ ସେନାବିଭାଗରେ ଏବଂ କନିଷ୍ଠ ପୁତ୍ର ଜର୍ଜ୍ଜଙ୍କୁ ନୌବିଭାଗରେ ଶିକ୍ଷା ଦେବାର ପ୍ରସ୍ତାବ ହୋଇଥିଲା । ଏହା ଶୁଣି ଭ୍ରାତୃବତ୍ସଳ ଭିକ୍ଟର, ଜର୍ଜ୍ଜଙ୍କୁ ଛାଡ଼ି ସେନାବିଭାଗରେ ଶିକ୍ଷା ଗ୍ରହଣ କରିବାକୁ ଅନିଚ୍ଛ ପ୍ରକାଶ କରି ଉଭୟଭ୍ରାତା ନୌବିଭାଗରେ ଶିକ୍ଷାର୍ଥୀ ୧୮୭୭ ଖ୍ରୀଃ ଜୁନମାସରେ ‘ବ୍ରିଟାନିୟା’ ନାମକ ରଣପୋତକୁ ପ୍ରେରିତ ହେଲେ । ନୌବିଦା ଅର୍ଜ୍ଜନରେ ନିଯୁକ୍ତ ହେଲେ ମଧ୍ୟ ଅନ୍ୟବିଧି ଶିକ୍ଷାରୁ ବଞ୍ଚିତ ହୋଇ ନ ଥିଲେ । ଅନ୍ୟାନ୍ୟ ବିଷୟରେ ଶିକ୍ଷା ଦେବାନିମନ୍ତେ ଗୃହଶିକ୍ଷକ ଡ୍ୟା୍‌ଲ୍‌ଟନ ସାହେବ ସେମାନଙ୍କ ସଙ୍ଗରେ ଥିଲେ । ଇଂଲଣ୍ଡର ଭାବୀ ରାଜା ଭିକ୍ଟର ଏବଂ ତାଙ୍କର ଭ୍ରାତା କଷ୍ଟସାଧ୍ୟ ନୌବିଦ୍ୟା ଶିକ୍ଷାର୍ଥ ନିୟୋଜିତ ହୋଇଥିବାର ଅବଗତ ହୋଇ ଇଂଲଣ୍ଡବାସିମାନେ ଆଶ୍ଚର୍ଯ୍ୟାନିତ ହେଲେ ।

 

ରଣପୋତରେ ଜର୍ଜ୍ଜ ସାମାନ୍ୟ ନାବିକ ପରି ଜୀବନ ଯାପନ କରୁଥିଲେ ଏବଂ ନୌସମର ବିଭାଗର ସମସ୍ତ ନିୟମ ମାନି ଚଳୁଥିଲେ । ପାଲବସ୍ତ୍ର ନିକ୍ଷେପ ଓ ଉତ୍ତୋଳନ, ରଜ୍ଜୁ ଆକର୍ଷଣ, ପୋତର ଅନ୍ତର ଓ ବହିର୍ଭାଗ ପରିଷ୍କାରକରଣ ପ୍ରଭୃତି ସାମାନ୍ୟ କାର୍ଯ୍ୟମାନ କରିବାକୁ ସେ ଲଜ୍ଜା ବା କଷ୍ଟ ବୋଧ କରୁ ନ ଥିଲେ । ଏହା ଭିନ୍ନ ସେ ରାତ୍ରରେ ଉଜାଗର ରହି ପ୍ରହରୀ କାର୍ଯ୍ୟ କରିବା ଏବଂ ଝଡ଼ବୃଷ୍ଟି ସମୟରେ ଜାହାଜର ମାସ୍ତୁଲ ଉପରେ ଆରୋହଣ କରି ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାକୁ ବିନ୍ଦୁମାତ୍ର କୁଣ୍ଠିତ ହେଉ ନ ଥିଲେ; ଅଧିକନ୍ତୁ ଅଧିକ ଆଗ୍ରହ ଓ ଉତ୍ସାହର ସହିତ ସେହି ସବୁ କାର୍ଯ୍ୟ ଉତ୍ତମରୂପେ ସମ୍ପନ୍ନ କରି ପ୍ରଶଂସାଲାଭ କରିଥାନ୍ତି ।

 

ଜର୍ଜ୍ଜ ଅର୍ଦ୍ଧଜଗତର ଅଧିଶ୍ୱରୀ ମହାରାଣୀ ଭିକ୍ଟୋରିୟାଙ୍କର ନାତି ହେଲେ ମଧ୍ୟ ତାଙ୍କ ମନକୁ ଗର୍ବ୍ବ-ଅଭିମାନ କେବେ ହେଲେ ଭ୍ରମରେ ସୁଦ୍ଧା ସ୍ପର୍ଶ କରି ନ ଥିଲା । ସେ ନାବିକମାନଙ୍କ ସହିତ ସଖାପରି ମିଳାମିଶା କ୍ରୀଡ଼ା କୌତୁକ ଓ ଆଳାପ କରୁଥିଲେ । ସେ ଅବସର କାଳରେ ବଂଶୀ ବଜାଇ ଅନ୍ୟାନ୍ୟ ନାବିକମାନଙ୍କ ସହିତ ନୃତ୍ୟ ଗୀତରେ ଯୋଗଦାନ କରି ଚିତ୍ତବିନୋଦନ କରିଥାନ୍ତି । ନାବିକମାନେ ତାଙ୍କୁ ରାଜଗୌରବସୂଚକ ସମ୍ଭ୍ରମରେ ସମ୍ୱୋଧନ କଲେ ସେ ବିରକ୍ତି ପ୍ରକାଶ କରି ‘‘ମହାଶୟ’’ ବୋଲି ସମ୍ୱୋଧନ କରିବାକୁ କହିଥାନ୍ତି । କିନ୍ତୁ ପୁନଃ ପୁନଃ ପ୍ରତିକଥାରେ ’’ମହାଶୟ’’ ‘‘ମହାଶୟ’’ କହିଲେ ସେ ଅସନ୍ତୁଷ୍ଟ ହୋଇଥାନ୍ତି । ଏଥିରୁ ବିଚକ୍ଷଣ ପାଠକମାନେ ଆମ୍ଭମାନଙ୍କର ନବୀନ ସମ୍ଭ୍ରାଟଙ୍କର ହୃଦୟର ମହତ୍ତ୍ୱ ଉତ୍ତମରୂପେ ଉପଲବ୍ଧି କରି ଅତୁଳନୀୟ ଆନନ୍ଦ ଉପଭୋଗ କରିପାରିବେ ।

 

ଭିକ୍ଟର ଓ ଜର୍ଜ୍ଜ ୨ବର୍ଷକାଳ ନୌବିଦ୍ୟା ଶିକ୍ଷା କରିବାପରେ ସେମାନଙ୍କର ପୋତସଙ୍କ୍ରାନ୍ତ ଜ୍ଞାନ ସମ୍ୱନ୍ଧରେ ପରୀକ୍ଷା ଗୃହୀତ ହେଲା । ସୁଖର ବିଷୟ ସେମାନେ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇ ପ୍ରଥମ ଶ୍ରେଣୀର ପ୍ରଶଂସା ପତ୍ର (Certificate) ପ୍ରାପ୍ତ ହେଲେ । ଏହା ଶ୍ରବଣ କରି ରାଜପରିବାରର ସମସ୍ତେ ଏବଂ ପ୍ରଜାସାଧାରଣ ପରମାନନ୍ଦିତ ହେଲେ ।

 

ଉଭୟ ଭ୍ରାତା କାୟା ଛାୟାପରି ସର୍ବ୍ବଦା ଏକତ୍ର ବାସ କରୁଥିଲେ । ସେମାନେ ଅନ୍ୟୋଽନ୍ୟରେ ଏକତ୍ର କ୍ରୀଡ଼ା ଏକତ୍ର ଅଧ୍ୟୟନ, ଏକତ୍ର ଭୋଜନ, ଏକତ୍ର ଭ୍ରମଣ ଏବଂ ଏକତ୍ର ଶୟନ ଉପବେଶନ କରିବା ପରମ ସୁଖକର ମଣୁଥିଲେ । ୧୮୭୯ ଖ୍ରୀଃରେ ସେମାନେ ବେକାଣ୍ଟି ନାମକ ପୋତରେ ଆରୋହଣ କରି ଦେଶଭ୍ରମଣରେ ବହିଗତ ହେଲେ । ସେମାନେ ନାବିକବେଶରେ ପ୍ରାୟ ୨ ବର୍ଷ କାଳ ଭ୍ରମଣ କରି ଆଫ୍ରିକା, ଆମେରିକା, ଅଷ୍ଟ୍ରୋଲିୟା, ନିଉଜିଲଣ୍ଡ, ଜାପାନ, ଚୀନ, ସିଂହଳ, ପାଲେଷ୍ଟାଇନ, ଗ୍ରୀସ ପ୍ରଭୃତି ଦେଶ ପରିଦର୍ଶନ କଲେ । ତତ୍ପରେ ଫେରିଆସି ୧୮୮୦ ଖ୍ରୀଃ ମେ ମାସ ୩ ତାରିଖଦିନ ଇଂଲଣ୍ଡର ପୋର୍ଟସମାଉଥ ବନ୍ଦରରେ ଉପନୀତ ହେଲେ । ତତ୍ପରେ ସେମାନେ ତଟପ୍ରଦେଶର ଆବାସ ଭବନରେ ୨ ମାସ କାଳ ବିଶ୍ରାମ କରି ତତ୍ପରେ ବିନ୍‌ଟ୍ରି ଉପସାଗର ଅଭିମୁଖେ ଅଗ୍ରସର ହେଲେ । ମାର୍ଗରେ କେରଳ ନାମକ ସ୍ଥାନରେ ଅବସ୍ଥାନ କରି ଭିଗୋ, ମେଦିରା ଏବଂ ଭାଡ଼ ଦ୍ୱୀପପୁଞ୍ଜ ପରିଦର୍ଶନ କଲେ । ପରେ ସେ ସ୍ଥାନ ତ୍ୟାଗ କରି ଦକ୍ଷିଣ ଆମେରିକା ପାର ହୋଇ ଉତ୍ତମାଶା ଅନ୍ତରୀପକୁ ଗମନ କଲେ । ତତ୍ପରେ ଅଷ୍ଟ୍ରେଲିୟାର ବନ୍ଦର ସମୂହ ଫିଜିଦ୍ୱୀପ ଏବଂ ଜାପାନ ପରିଦର୍ଶନ କରିଥିଲେ । ରାଜକୁମାର ଦ୍ୱୟ ଜାପାନରେ ମହାସମାହରରେ ଅଭ୍ୟର୍ଥିତ ହୋଇଥିଲେ । ଇଂଲଣ୍ଡକୁ ଫେରିଯିବା ସମୟରେ ସେମାନେ ସଙ୍ଘାଇ, ହଂକଂ, ଶିଙ୍ଗାପୁର ଓ କଲମ୍ୱୋ ପରିଦର୍ଶନ କରିଥିଲେ । ୧୮୮୧ ଖ୍ରୀଃର ଅଗଷ୍ଟ ମାସରେ ସେମାନେ ଇଂଲଣ୍ଡରେ ଉପସ୍ଥିତ ହେଲେ ସେମାନେ ଯେଉଁସବୁ ସ୍ଥାନକୁ ଗମନ କରିଥିଲେ ସେହି ସେହି ସ୍ଥାନର କୌଣସି ପ୍ରକାର ଦର୍ଶନୀୟ ପଦାର୍ଥ ଦର୍ଶନ କରିବାକୁ ବାକୀ ରଖି ନାହାନ୍ତି । ଏସ୍ଥାନରେ ଏ କଥା କହିବାର ଉଚିତ ଯେ ସମୁଦ୍ର ଭ୍ରମଣର ଆମୋଦରେ ସେମାନେ ଅବିଚ୍ଛେଦରେ ନିମଗ୍ନ ନ ଥିଲେ । ଅଧ୍ୟାପକ ଡ଼୍ୟାଲ୍‌ଟନ ସେମାନଙ୍କ ସଙ୍ଗରେ ଥିଲେ, ଜାହାଜରେ ସେମାନଙ୍କର ଅଧ୍ୟୟନର ବିରାମ ନ ଥିଲା । ଆଳସ୍ୟ ଅଥବା ଔଦାସ୍ୟ ସେମାନଙ୍କୁ କଦାପି ଆଶ୍ରୟ କରିପାରି ନ ଥିଲା ।

 

୧୮୮୨ ଖ୍ରୀଃରେ ଜ୍ୟେଷ୍ଠ ରାଜକୁମାର ରାଜୋଚିତ ଶିକ୍ଷାନିମନ୍ତେ ବାଧ୍ୟ ହୋଇ ନୌବିଭାଗ ତ୍ୟାଗ କଲେ କିନ୍ତୁ ପ୍ରିନସ୍‌ଜର୍ଜ୍ଜ ନୌବିଭାଗରେ ଶିକ୍ଷାଧୀନରେ ରହିଲେ । ସେ ନାବିକ କାର୍ଯ୍ୟରେ ବିଶେଷ ଅନୁରକ୍ତ ଥିଲେ, ସୁତରାଂ ବିଶେଷ ଯତ୍ନ ଓ ଚେଷ୍ଟାର ସହିତ ଉକ୍ତକାର୍ଯ୍ୟ ଶିକ୍ଷା କରିବାକୁ ଲାଗିଲେ । ସେ ପରେ ଗ୍ରୀନଉଇଗ’ର ରୟେଲ୍‌ ନେବେଲ୍‌ କଲେଜରେ ଏବଂ ଅନ୍ୟାନ୍ୟ ନୌବିଦ୍ୟାଳୟରେ ଅଧ୍ୟୟନ କରି ପ୍ରତ୍ୟେକ ବିଦ୍ୟାଳୟରୁ ଉତ୍‌କୃଷ୍ଟ ପ୍ରଶଂସା ପତ୍ରମାନ ପ୍ରାପ୍ତ ହେଲେ । ସେ ୧୯ ବର୍ଷ ବୟସ ସମୟରେ ନୌବିଦ୍ୟାରେ ଏତେଦୂର ପାରଦର୍ଶୀ ହୋଇଥିଲେ ଯେ ତାହାଙ୍କୁ ସମାଦରପୂର୍ବ୍ବକ କାନାଡ଼ୋ ନାମକ ଜାହାଜର ସବ୍‌ଲେଫ୍‌ଟେନେଣ୍ଟ ପଦତ୍ତେ ନିଯୁକ୍ତ କରାଯାଇଥିଲା । ପରେ ନୌବିଭାଗର ଉର୍ଦ୍ଧ୍ୱତନ କର୍ମ୍ମଚାରିମାନେ ତାଙ୍କର କାର୍ଯ୍ୟଦକ୍ଷତାରେ ସନ୍ତୁଷ୍ଟ ହୋଇ ଏକବର୍ଷ ମଧ୍ୟରେ ତାଙ୍କୁ କେଫ୍‌ଟେନେଣ୍ଟ ପଦକୁ ଉନ୍ନୀତ କଲେ । ୧୮୮୫ ଖ୍ରୀଃର ଅକ୍ଟୋବର ମାସ ୮ ତାରିଖରେ ପ୍ରକାଶିତ ଇଂଲଣ୍ଡର ରାଜକୀୟ ଗେଜେଟରେ ତାଙ୍କର ଏହି ପଦୋନ୍ନତି ସମ୍ବାଦ ବିଘୋଷିତ ହୋଇଥିଲା । ସେ ସେହିକାର୍ଯ୍ୟରେ ବିଶେଷ ପାରଦର୍ଶିତାର ପରିଚୟ ପ୍ରଦାନ କରିଥିଲେ । ଏହା ଅବଗତ ହୋଇ ପ୍ରଧାନ ପ୍ରଧାନ ରାଜପୁରୁଷମାନେ ମୁକ୍ତକଣ୍ଠରେ ତାଙ୍କର ଗୁଣର ପ୍ରଶଂସା କରିଥିଲେ, ଏବଂ ରାଜ୍ୟ ମଧ୍ୟରେ ତାଙ୍କର ଜୟ ଜୟକାର ଧ୍ୱନି ଉଥିତ ହୋଇଥିଲା ।

 

ଏହିପରି ପ୍ରିନ୍‌ସଜର୍ଜ୍ଜଙ୍କର ନାବିକ ଜୀବନ ସୁଖସ୍ୱଚ୍ଛନ୍ଦରେ ଅତିବାହିତ ହୋଇଥିଲା, କିନ୍ତୁ ଈଶ୍ୱର ତହିଁରେ ବାଦ ସାଧିଲେ,-ହଠାତ୍‌ଜର୍ଜ୍ଜଙ୍କ ହୃଦୟରେ ଗୋଟିଏ ଶୋକ ଶଲ୍ୟ ବିଦ୍ଧ କଲେ । ସେ ଯେଉଁ ଜ୍ୟେଷ୍ଠଭ୍ରାତାଙ୍କୁ ପ୍ରାଣ ଅପେକ୍ଷା ଅଧିକ ଭଲ ପାଉଥିଲେ-ସେହିଭ୍ରାତା-ଇଂଲଣ୍ଡର ଭାବୀରାଜା ୧୮୯୨ ଖ୍ରୀଷ୍ଟାବ୍ଦରେ ମୃତ୍ୟୁମୁଖରେ ପତିତ ହେଲେ, ମୃତ୍ୟୁ ସମ୍ବାଦ ପାଇ ଜର୍ଜ୍ଜ ଅତନ୍ତ୍ୟ ବିଷଣ୍ଣ ହେଲେ କିନ୍ତୁ ଜର୍ଜ୍ଜ ମାନସିକବଳରେ ବଳୀୟାନ୍‌ ଈଶ୍ୱରଙ୍କ ପ୍ରତି ମଧ୍ୟ ତାଙ୍କର ଅତ୍ୟନ୍ତ ନିର୍ଭର ଥିଲା-ସେ ସେହି ଭାବରେ ମଧ୍ୟ ଶିକ୍ଷିତ ହୋଇ ଆସୁଥିଲେ । ‘‘ଭଗବାନଙ୍କ କାର୍ଯ୍ୟରେ କାହାରି ହେଲେ ହାତ ନାହିଁ-ତାଙ୍କ କାର୍ଯ୍ୟର ପ୍ରତିବିଧାନର ମଧ୍ୟ କୌଣସି ଉପାୟ ନାହିଁ-।’’ ଏହା ଭାବି ସେ ସ୍ୱୀୟ ହୃଦୟରୁ ଶୋକଭାର ଦୁର କରିବାକୁ ସମର୍ଥ ହୋଇଥିଲେ । ଯୁବରାଜ ଭିକ୍ଟରଙ୍କର ଲୋକାନ୍ତର ପରେ ପାର୍ଲିୟାମେଣ୍ଟ ମହାସଭା ପ୍ରିନ୍‌ସ ଜର୍ଜ୍ଜଙ୍କୁ ଇଂଲଣ୍ଡର ଭାବୀ-ଉତ୍ତରାଧିକାରୀ ବୋଲି ଘୋଷଣାପତ୍ର ପ୍ରଚାର କଲେ ଏବଂ ତାହାଙ୍କୁ ‘‘ଡ଼ିଉକ ଅବ୍‌ଇୟର୍କ’’ ଉପାଧି ପ୍ରଦାନ କଲେ । ତାଙ୍କର ଜୀବନ-ସ୍ରୋତର ଏହି ଆକସ୍ମିକ ପରିବର୍ତ୍ତନରେ ସେ କିଛିମାତ୍ର ଅହଙ୍କୃତ ହେଲେନାହିଁ; ପରନ୍ତୁ ଭଗବାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ନୂତନ ଜୀବନରେ ନୂତନ ଉଦ୍ୟମ ଓ ନୂତନ ଭାବରେ ଅନୁପ୍ରାଣିତ ହୋଇ ରାଜୋଚିତ ନୂତନ ଶିକ୍ଷା ସକାଶ ନିଯୁକ୍ତ ହେଲେ ।

 

ଜର୍ଜ୍ଜଙ୍କ ପିତା ସପ୍ତମ ଏଡ଼ୋୟାର୍ଡ଼ ଯେପରି ପିତା ମାତାଙ୍କ ନିକଟରୁ ଅନେକ ବିଷୟରେ ସୁଶିକ୍ଷା ଲାଭ କରିଥିଲେ, ଜର୍ଜ୍ଜ ମଧ୍ୟ ସେହିପରି ସ୍ୱୀୟ ଜନକ ଜନନୀଙ୍କ ନିକଟରୁ ସୁଶିକ୍ଷା ଲାଭ କରି ବହୁ ରାଜନୀତିକ ସମସ୍ୟା ସହିତ ପରିଚିତ ଓ ନାନାବିଷୟରେ ଜ୍ଞାନ ଲାଭ କରିଅଛନ୍ତି ।

 

ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ ସନ୍ତାନମାନଙ୍କୁ ସତ୍‌କରିବା ନିମନ୍ତେ କିପରି ସତର୍କ ଦୃଷ୍ଟି ରଖିଥିଲେ ତହିଁର ଗୋଟିଏ ଦୃଷ୍ଟାନ୍ତ ଏହି,-

 

ଦିନେ ଜର୍ଜ୍ଜ ଓ ଭିକ୍ଟର ପିତାଙ୍କ ସଙ୍ଗରେ ଅଶ୍ୱାରୋହଣ କରି ବୁଲିବାକୁ ଯାଉଥିଲେ । ସେହି ସମୟରେ ଅନେକ ଲୋକ ପଥନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିଲେ । ସେମାନେ ସପୁତ୍ର ସମ୍ରାଟଙ୍କୁ ଅଭିବାଦନ କଲେ, ସମ୍ରାଟ ମଧ୍ୟ ସେମାନଙ୍କୁ ପ୍ରତ୍ୟଭିବାଦନ ନ କରି ବାହାରିଗଲେ । ସମ୍ରାଟ ପୁତ୍ରମାନଙ୍କର ସୌଜନ୍ୟର ଅଭାବ ଦେଖି ସେମାନଙ୍କ ଅଗ୍ରସର ହେବାକୁ ନିଷେଧ କରି କହିଲେ ଏବେ ଶ୍ରମଜୀବିମାନଙ୍କ ନିକଟକୁ ଯାଇ ପ୍ରତିନମସ୍କାର କରି ଆସ । କହିବ-ବାହୁଲ୍ୟ ପୁତ୍ରମାନେ ତତ୍‌କ୍ଷଣାତ୍‌ ସେହି ଆଦେଶ ପାଳନ କଲେ ।

 

ମିଃ ଫୋକ୍‌ସ ଓ ତାଙ୍କର ପତ୍ନୀ ପଞ୍ଚମଜର୍ଜ୍ଜଙ୍କ ଖାସ ଜମିଦରୀରେ ବାସ କରନ୍ତି । କିଛିକାଳ ପୂର୍ବେ ଜର୍ଜ୍ଜ ତାଙ୍କ ଗୃହକୁ ଯାଇ ସେମାନଙ୍କ ସହିତ ଆଳାପ କଲେ । ବିଦାୟ କାଳରେ ଫୋକ୍‌ସଙ୍କୁ ଗୋଟିଏ ପିକା ଦେବାରୁ ସେ ଜର୍ଜ୍ଜଙ୍କୁ ଧନ୍ୟବାଦ ଦେଇ କହିଲେ,-‘‘ ଆୟ ଊଣାହେତୁ ସବୁବେଳେ ପିକା କିଣିବାକୁ ଅର୍ଥ ମିଳେ ନାହିଁ, ଏଣୁ ପିକାଖିଆ ଛାଡ଼ି ଦେଇଅଛି ।’’ ଜର୍ଜ୍ଜ ଏହା ଶୁଣି ହାସ୍ୟ କରି ଫେରିଗଲେ । ଏହି ଘଟନାର ଦି ୨/୩ ପରେ ସେ ସ୍ୱହସ୍ତରେ ମିଃ ଫୋକ୍‌ସଙ୍କ ନାମରେ ଖଣ୍ଡିଏ ପତ୍ର ଲେଖି ତାଙ୍କୁ ଜଣାଇ ଦେଲେ ଯେ ତୁମ୍ଭେ ଆମ୍ଭ ଜମିଦାରୀରେ ଦୀର୍ଘକାଳ ହେଲା ବାସ କରୁଅଛ ବୋଲି ତୁମ୍ଭଜୀବନର ଅବଶିଷ୍ଟ କାଳ ତୁମ୍ଭଙ୍କୁ ଆଉ ଘର କର ଦେବାକୁ ହେବନାହିଁ । ଆଶା କରୁଁ ସେହି ଟଙ୍କାରେ ପିକା କିଣି ଖାଇ ପାରିବ । ଏ ଘଟନାରୁ ଜର୍ଜ୍ଜଙ୍କର ପ୍ରଜାବତ୍ସଳତା, ସହୃଦୟତା ଏବଂ ନିରଭିମାନିତାର ସୁନ୍ଦର ପରିଚୟ ମିଳୁଅଛି । ସେ ନିଜ ଜୀବନରେ ‘‘ବନ୍ଧୁ କୃତ୍ୟଂ ପ୍ରଜାନାଂ’’ ବାକ୍ୟର ସାର୍ଥକତା ସମ୍ପାଦନ କରିଅଛନ୍ତି ଏବଂ କରିବେ ବୋଲି ସମସ୍ତେ ମନରେ ଦୃଢ଼ ଆଶା ପୋଷଣ କରିଅଛନ୍ତି ।

 

ଜର୍ଜ୍ଜ ଯୁବରାଜ-ଭାବୀ ଉତ୍ତରାଧିକାରୀ ହେଲେ ମଧ୍ୟ ସେ ନାବିକ ଜୀବନରେ ଲୋକମାନଙ୍କ ସହିତ ଯେପରି ବିନୟ ନମ୍ରବ୍ୟବହାର କରୁଥିଲେ ଯୁବରାଜ ଅବସ୍ଥାରେ ମଧ୍ୟ ଠିକ୍‌ ସେହିପରି କରୁଥିଲେ । ତାଙ୍କର ପିତା ମାତା, ପିତାମହ ପିତାମହୀ ମଧ୍ୟ ଏହି ପ୍ରକୃତିକ ନରନାରୀ । ପଦ୍ମରାଗ-ଆକାରରେ କାଚର ଉଦ୍ଭବ ସମ୍ଭବପର କି ?

 

ଯୁବରାଜ ନିଷ୍କର୍ମା ହୋଇ ବସି ରହିବାକୁ ବିଷପରି ମନେ କରନ୍ତି, ଏଣୁ ସେ ଏକ ମିନିଟ ସୁଦ୍ଧା ବୃଥା ନଷ୍ଟ ନ କରି ନିରନ୍ତର ନାନାକାର୍ଯ୍ୟରେ ନିଯୁକ୍ତ ଥାଆନ୍ତି ଏବଂ ସ୍ୱହସ୍ତରେ କୃଷିକାର୍ଯ୍ୟ ଶ୍ରଦ୍ଧାର ସହିତ ସମ୍ପାଦନ କରିଥାନ୍ତି । ସେ ପ୍ରକୃତରେ ଜଣେ କର୍ମ୍ମଯୋଗୀ ।

 

ପୋଷାକ ପିରଚ୍ଛଦ ସମ୍ୱନ୍ଧରେ ଯୁବରାଜଙ୍କର କୌଣସି ପ୍ରକାର ଆଡ଼ମ୍ୱର-ପାରିପାଟ୍ୟ ନ ଥିଲେ ମଧ୍ୟ ସୈନିକ ପରିଚ୍ଛଦ ପରିଧାନରେ ତାଙ୍କର ଯଥେଷ୍ଟ ଅନୁରାଗ ଥିଲା । ସେ କୌଣସି ସ୍ଥାନକୁ ଯିବାସମୟରେ ସେହି ପରିଚ୍ଛଦ ପିନ୍ଧି ଯାଉଥିଲେ ।

 

ଯୁବରାଜ ଜର୍ଜ୍ଜ ମୌନୀ ହେଲେ ମଧ୍ୟ ତାଙ୍କର ବକ୍ତୃତା ଶକ୍ତି ଅତି ଚମତ୍କାର । ସେ ସମୟେ ୨ ଯେଉଁ ସବୁ ହୃଦୟଗ୍ରାହୀ ବକ୍ତୃତା କରନ୍ତି ତାହା ଶ୍ରବଣ କରି ଶ୍ରୋତୃମଣ୍ଡଳୀ ମୁଗ୍ଧ ହୋଇଥାନ୍ତି । ତାଙ୍କ ବକ୍ତୃତାର ପ୍ରତ୍ୟେକ କଥା ଗଭୀର ଚିନ୍ତା ପ୍ରସୂତ । ତାଙ୍କର ସମସ୍ତ ବକ୍ତୃତା ପ୍ରବଳ ସହାନୁଭୂତି ବ୍ୟଞ୍ଜକ । ଅନେକ ସମୟରେ ସେ ପୂର୍ବରୁ କିଛି ଚିନ୍ତା ନ କରି ମଧ୍ୟ ସାର ଗର୍ଭକ ଓ ଚିତ୍ତାକର୍ଷକ ବକ୍ତୃତା କରି ଅତୁଳ ଅଭିଜ୍ଞତାର ପରିଚୟ ପ୍ରଦାନ କରିଥାନ୍ତି ।

 

ଆମ୍ଭମାନଙ୍କର ନବୀନ ସମ୍ରାଟ ଫୁଟ୍‌ବଲ୍‌ଆଦି କ୍ରୀଡ଼ାରେ ସୁପଣ୍ଡିତ, ସନ୍ତରଣ ବିଦ୍ୟାରେ ସୁନିପୁଣ । ସେ ଯେତେବେଳେ ବେକାଣ୍ଟ ଜାହାଜରେ ବସି ଦେଶାଟନରେ ବହିର୍ଗତ ହୋଇଥିଲେ, ସେହିସମୟରେ ଜାହାଜର ଜଣେ ମଝି ସମୁଦ୍ରରେ ପଡ଼ିଯିବାର ଦେଖି ତତ୍‌କ୍ଷଣାତ୍‌ ସମୁଦ୍ରକୁ ଡ଼େଇଁପଡ଼ି ତାକୁ ଧରି ପକାଇଲେ, ପରେ ଉଭୟେ ଜାହାଜରେ ଥିବା ଲୋକମାନଙ୍କ ସାହାଯ୍ୟରେ ଉତ୍ତୋଳିତ ହେଲେ । ତାଙ୍କର ସହାୟତା ବ୍ୟତୀତ ମାଝିର ଜୀବନାଶା କିଛିମାତ୍ର ନ ଥିଲା । ଏହି ଘଟନା ତାଙ୍କର ଅତୁଳନୀୟ ସାହସ ଓ ଅପରିସୀମା ଦୟାର ଉଜ୍ଜ୍ୱଳତମ ନିଦର୍ଶନ । ଯେ ପରର ପ୍ରାଣ ରକ୍ଷା ସକାଶ ନିଜର ପ୍ରାଣକୁ ବିପନ୍ନ କରିବାକୁ ବିନ୍ଦୁମାତ୍ର କୁଣ୍ଠିତ ନୁହନ୍ତି ସେ ଯେ ନିଶ୍ଚୟ ନରରୂପୀ ଦେବତା ଏଥିରେ ମତ ଦ୍ୱୈଧ ନାହିଁ ।

 

ଯୁବରାଜ ମୃଗୟାଭିନ୍ନ ଅନ୍ୟ କୌଣସି ବ୍ୟସନରେ ଲିପ୍ତ ନ ଥିଲେ । ସେ ଦଶବର୍ଷ ସମୟରେ ସ୍ୱୀୟ ପିତୃଦେବଙ୍କ ନିକଟରୁ ମୃଗୟା ବିଷୟରେ ଦୀକ୍ଷା ଲାଭ କରି ଯୌବନ କାଳରେ ତବ୍ବିଷୟରେ ନିପୁଣତା ଲାଭ କରିଥିଲେ ବନ୍ଧୁକ ଚାଳନାରେ ଏବଂ କମାଣ ଦାଗିବାରେ ସେ ଅବ୍ୟର୍ଥଲକ୍ଷ୍ୟ-ସିଦ୍ଧହସ୍ତ । ଆଉ ‘‘ଚଳଲକ୍ଷ୍ୟ ନିପାତନ’’ରେ ବର୍ତ୍ତମାନ ଯୁଗରେ ତାଙ୍କର ପ୍ରତିଦ୍ୱନ୍ଦୀ ନାହାନ୍ତି କହିଲେ ଚଳେ । ସେ ମୃଗୟାପ୍ରିୟ ହେଲେ ମଧ୍ୟ କଦାଚିତ୍‌ ଅକୃତକାର୍ଯ୍ୟ ହେଲେ ତହିଁପାଇଁ ଦୁଃଖିତ ହୁଅନ୍ତିନାହିଁ । ସେ ସୁଖ ଦୁଃଖରେ ନିର୍ବ୍ବିକାର ହୋଇ ସଦା ପ୍ରଫୁଲ ଚିତ୍ତରେ କାଳ ଯାପନ କରିଥାନ୍ତି । ସେ ଅଧିକାଂଶ ସମୟରେ ମତ୍ସ୍ୟ ଶିକାରରେ ବହିର୍ଗତ ହୋଇ ସଫଳତା ଲାଭ କରିଥାନ୍ତି ।

 

ପ୍ରିନ୍‌ସ ଜର୍ଜ୍ଜ ଶାରୀରିକ ବ୍ୟାୟାମର ପ୍ରତ୍ୟେକ ବିଷୟରେ ପାରଦର୍ଶୀ । ଅଶ୍ୱାରୋହଣରେ ତାଙ୍କର ସମକକ୍ଷ ବ୍ୟକ୍ତି ଅଳ୍ପ ଅଛନ୍ତି । ସେ ଯୁବରାଜ ଅବସ୍ଥାରେ ମାର୍‌ଲବରା ରାଜ ପ୍ରାସାଦରେ ଥାଇ ଶାରୀରିକ ବ୍ୟାୟାମ ସମ୍ୱନ୍ଧୀୟ ପୁସ୍ତକ ପାଠ କରି ତଦନୁସାରେ ବ୍ୟାୟାମ କରୁଥିଲେ । ଏହାର ଫଳସ୍ୱରୂପ ତାଙ୍କର ଶରୀର ବଳିଷ୍ଠ ହୋଇଥିଲା ।

 

ଫ୍ରାନସ୍‌ର ରାଜଧାନୀ ପାରିସ ନଗରର ଇଫେଲଟାୱାର ଉଚ୍ଚତାରେ ସୌଧ ଜଗତରେ ଅତୁଳନୀୟ । ତାହାର ଉଚ୍ଚତା ୧ ହଜାର ଫୁଟ । ପ୍ରିନସ୍‌ ଜର୍ଜ୍ଜ ଥରେ ତାହା ଦେଖିବାକୁ ଯାଇ ଉକ୍ତ ଟାୱାରର ଉଚ୍ଚଚୂଡ଼ାକୁ ଉଠି ଦେଖିଲେ ଯେ ତାହା ଉପରେ ମାସ୍ତୁଲପରି ଏକ ସୁଦୀର୍ଘ କାଷ୍ଠଖଣ୍ଡ ପ୍ରୋଥିତ ରହିଅଛି । ସେ ଅବଲୀଳାକ୍ରମେ ସେହି କାଷ୍ଠଖଣ୍ଡରେ ଆରୋହଣ କରି ତାହାର ଶୀର୍ଷଦେଶରେ ଉପବିଷ୍ଟ ହେଲେ । ଏହା ଦେଖି ତାଙ୍କର ସଙ୍ଗିମାନେ ଭୟରେ କମ୍ପିତ କଳେବର କିନ୍ତୁ ପ୍ରିନସ୍‌ଜର୍ଜ୍ଜ ହାସ୍ୟମୟ । ଏପରି ଅନେକ ସ୍ଥଳରେ ତାଙ୍କର ଅସୀମ ସାହସିକତାର ପରିଚୟ ମିଳିଅଛି ।

 

ବିଭିନ୍ନ ଦେଶର ଡାକଟିକଟ ସଂଗ୍ରହ କରିବା ପ୍ରିନସ୍‌ ଜର୍ଜ୍ଜଙ୍କର ବଡ଼ ଆମୋଦଜନକ କାର୍ଯ୍ୟ ଥିଲା । ସେ ବେକାଣ୍ଟି ଜାହାଜରେ ଥିବାବେଳେ ସେହି ଜାହାଜର ଜଣେ ନାବିକ ଭିନ୍ନ ଭିନ୍ନ ଦେଶର କେତେକ ଦୁଷ୍ପାପ୍ୟ ଡାକଟିକଟ ଆଣି ତାଙ୍କୁ ଉପହାର ଦେଲା । ଜର୍ଜ୍ଜ ଆନନ୍ଦର ସହିତ ସେହି ଟିକଟ ଗୁଡ଼ିକ ଗ୍ରହଣ କଲେ ଏବଂ ତାଙ୍କ ନିକଟରେ ଯେଉଁସବୁ ଟିକଟ ଏକ ଖଣ୍ଡରୁ ଅଧିକ ଥିଲା ତହିଁରୁ ଖଣ୍ଡେ ଖଣ୍ଡେ ସେହି ନାବିକକୁ ପ୍ରଦାନ କଲେ । କିନ୍ତୁ ନାବିକ ତାହା ଗ୍ରହଣ ନ କରି ସଙ୍କୁଚିତ ଭାବରେ କହିଲା-ବିନିମୟ ମୋର ଉଦ୍ଦେଶ୍ୟ ନୁହେ ମୁଁ ଡାକଟିକଟ ଗୁଡ଼ିକ ପ୍ରିନସ୍‌ଙ୍କୁ ଉପହାର ଦେଇଅଛି । ନ୍ୟାୟନିଷ୍ଠ ଜର୍ଜ୍ଜ ଏହା ଶୁଣି ସେ ଦେଇଥିବା ଟିକଟ ଗୁଡ଼ିକ ଫେରାଇ ଦେଇ କହିଲେ,-‘‘ପ୍ରିନସ୍‌ ଏପରି ଉପହାର ଗ୍ରହଣ କରିବାକୁ ଅସମର୍ଥ ।’’

 

ପ୍ରିନସ୍‌ ଜର୍ଜ୍ଜ ଯେପରି ଆଶ୍ରିତବତ୍ସଳ ସେହିପରି ପରଦୁଃଖ ମୋଚନତତ୍ପର । ତାଙ୍କର ହୃଦୟ ଦୟାପୂର୍ଣ୍ଣ ଏବଂ ରୋଗିଙ୍କ ରୋଗ ଯନ୍ତ୍ରଣା ମୋଚନରେ ଅତ୍ୟନ୍ତ କାତର । ସେ ଅନେକବାର କର୍ତ୍ତୃପକ୍ଷୀୟମାନଙ୍କୁ ସମ୍ୱାଦ ନ ଦେଇ ହଠାତ୍‌ ହାସପାତାଳରେ ଉପସ୍ଥିତ ହୋଇଥାନ୍ତି । ସେଠାରେ ରୋଗିମାନଙ୍କୁ ସାନ୍ତନା ଓ ଶାନ୍ତି ଦାନର ଚେଷ୍ଟା କରିଥାନ୍ତି । ଏହା ଭିନ୍ନ ସେ ଦୀନ ଦରିଦ୍ରମାନଙ୍କ ପ୍ରତି ଅତି କୃପାଶୀଳ । ସେ କିଛିକାଳ ପୂର୍ବେ ଆୟଲାଣ୍ଡ ଭ୍ରମଣରେ ଯାଇ ଡବଲିନ ନଗରଠାରେ ଦୀନଜନମାନଙ୍କ ସାହାଯ୍ୟ ସକାଶେ ୧୫ ହଜାର ଟଙ୍କା ଦାନ କରିଥିଲେ । ସେ ଦୀନରକ୍ଷା ସକାଶ ଏହିପରି ଅନେକ ଦାନ କରିଥାନ୍ତି ।

 

ପ୍ରିନସ୍‌ଜର୍ଜ୍ଜ ବେକାଣ୍ଟି ଜାହାଜରେ ବସି ଦେଶାଟନ କରୁଥିବା ସମୟରେ ଏକଦା ଉକ୍ତ ଜାହାଜ ତୁରସ୍କର ଅନ୍ତର୍ଗତ ସେଲୋନିକା ବନ୍ଦରଠାରେ ନଙ୍ଗର କରିଥିଲା । ସେହି ଜାହାଜରେ ଇଂଲଣ୍ଡର ରାଜକୁମାର ଥିବାର ଅବଗତ ହୋଇ ତୁରସ୍କର ଜଣେ ସମ୍ଭ୍ରାନ୍ତ ପାଶା ତାହାଙ୍କୁ ଦେଖିବା ନିମନ୍ତେ ଜାହାଜକୁ ଆଗମନ କରିଥିଲେ । ତେତେବେଳେ ଜର୍ଜ୍ଜ କୋଇଲା ବୋଝେଇ କାର୍ଯ୍ୟରେ ଯୋଗ ଦେଇଥିଲେ । ପାଶାଙ୍କ ଆଗମନ ସମ୍ବାଦ ଶୁଣି ତାଙ୍କ ନିକଟକୁ ଆସିଲେ । ତେତେବେଳେ ତାଙ୍କର ଶରୀର କୋଇଲା ଗୁଣ୍ଡରେ କୃଷ୍ଣବର୍ଣ୍ଣ ହୋଇଥିଲା । ପାଶା ତାହାଙ୍କ କୌଣସି ପ୍ରକାର ଇଂଲଣ୍ଡର ରାଜପୁତ୍ର ବୋଲି ବିଶ୍ୱାସ କରିପାରିଲେ ନାହିଁ । ଯେତେବେଳେ ସମସ୍ତେ ପୁନଃପୁନଃ ତାହାଙ୍କୁ ରାଜପୁତ୍ର ବୋଲି ପରିଚୟ ଦେଲେ ସେତେବେଳେ ପାଶାଙ୍କର ଆଉ ବିସ୍ମୟର ସୀମା ରହିଲା ନାହିଁ । ଜର୍ଜ୍ଜ କହିଅଛନ୍ତି,-‘‘ପାଶାଙ୍କ ମୁଖର ତଦାନ୍ତୀନ୍ତକ ବିସ୍ମିତଭାବ ସେ ଜୀବନରେ ଭୁଲି ପାରିବେନାହିଁ ।’’

 

ପ୍ରିନସ୍‌ ଜର୍ଜ୍ଜ ୧୮୯୨ ଖ୍ରୀଃରେ ଯୁବରାଜ ପଦରେ ବରିତ ହୋଇ ତହିଁ ପରବର୍ଷ ଅର୍ଥାତ୍‌ ୧୮୯୩ ଖ୍ରୀଃର ଜୁନ ମାସ ୮ ତାରିଖରେ କୁମାରୀ ପ୍ରିନସ୍‌ ମେରୀଙ୍କ ପାଣିଗ୍ରହଣ କଲେ । ବିବାହୋତ୍ସବ ମହା ସମାରୋହରେ ସମ୍ପନ୍ନ ହୋଇଥିଲା । ମେରୀ, ମହାରାଣୀ ଭିକ୍ଟୋରିୟାଙ୍କର ଜ୍ୟେଷ୍ଠ ତାତ ଭଗିନୀ-ଡନେସ ଅବା ଟେକ୍‌ଙ୍କର କନ୍ୟା । ସେ ଇଂଲଣ୍ଡର ରାଜବଂଶୀୟା ବୋଲି ଏହି ବିବାହରେ ଇଂଲଣ୍ଡବାସିମାତ୍ରେ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଶୁଭବିବାହ ଶୁଭଫଳପ୍ରଦ ହୋଇଅଛି । ରାଣୀ ମେରୀ ବର୍ତ୍ତମାନ ପାଞ୍ଚଗୋଟି ପୁତ୍ର ଏବଂ ଗୋଟିଏ କନ୍ୟାର ଜନନୀ । ଜ୍ୟେଷ୍ଠପୁତ୍ର ଆମ୍ଭମାନଙ୍କର ବର୍ତ୍ତମାନ ଯୁବରାଜ ପ୍ରିନସ୍‌ ଏଡ଼ୋୟାର୍ଡ଼ ୧୮୯୪ ଖ୍ରୀଃରେ ମାତାମହଙ୍କ ଗୃହରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଜନକ ଜନନୀଙ୍କ ବିଶେଷ ତତ୍ତ୍ୱାବଧାନରେ ସୁଶିକ୍ଷା ଲାଭ କରୁଅଛନ୍ତି ।

 

ରାଣୀ ମେରୀ ଯେପରି ରୂପବତୀ, ସେହିପରି ଗୁଣବତୀ ଏବଂ ସୁଶିକ୍ଷିତା । ଶିଳ୍ପବିଦ୍ୟାର ସେ ପାରଦର୍ଶିନୀ । ସେ ବାହାରର ଲୋକଙ୍କ ସହିତ ମିଶିବା ଏବଂ ସାମାଜିକ କୌଣସି ଉତ୍ସବରେ ଯୋଗଦେବାରେ ଉତ୍ସାହ ପ୍ରକାଶ କରନ୍ତିନାହିଁ । ଅନାଡ଼ମ୍ୱର ଓ ନୀରବତା ରାଣୀ ମେରୀଙ୍କର ବିଶେଷତ୍ୱ । ଶାନ୍ତଭାବରେ କାଳଯାପନ କରିବାର ସ୍ସୃହା ତାଙ୍କର ଏତେଦୂର ପ୍ରବଳ ଯେ ସେ ବାଲ୍ୟକାଳରେ ସୁଦ୍ଧା କୌଣସି ପ୍ରକାର ଆମୋଦ ପ୍ରମୋଦରେ ଯୋଗ ଦିଅନ୍ତିନାହିଁ; ତହିଁରେ ଯୋଗଦେବା ଅପେକ୍ଷା ଶିଳ୍ପ ସାହିତ୍ୟାଦି ଆଲୋଚନାରେ ସମୟ କ୍ଷେପକରିବା ସେ ବିଶେଷ ଶ୍ରେୟସ୍କର ମନେ କରୁଥିଲେ । ରାଣୀ ମେରୀ ଯେପରି ନମ୍ରଶୀଳା ସେପରି ଦୟାବତୀ । ନୀରବ ଜୀବନ ଯାପନ ପକ୍ଷେ ରାଣୀ ମେରୀ, ଯୁବରାଜ ଜର୍ଜ୍ଜଙ୍କର ପ୍ରକୃତ ସହଧର୍ମ୍ମିଣୀ । ଉଭୟଙ୍କର ମିଳନ, ମଣିକାଞ୍ଚନ ସଂଯୋଗପରି ହୋଇଅଛି ।

 

ପ୍ରିନ୍ସେସ ମେରୀ ଶିଳ୍ପବିଦ୍ୟା ପରି ସଙ୍ଗୀତ ବିଦ୍ୟାରେ ମଧ୍ୟ ସୁପଟୁ । ତାଙ୍କର ଗଳାର ସ୍ୱର ମଧୁର ଅଟେ, ସେ ଉତ୍ତମରୂପେ ଚିତ୍ରାଙ୍କନ କରିପାରନ୍ତି ଏବଂ ଚାରିଗୋଟି ପ୍ରଧାନ ଭାଷାରେ ଶୁଦ୍ଧରୂପେ ଅନର୍ଗଳ କଥୋପକଥନ କରିପାରନ୍ତି । ସେ ବିବାହର ପୂର୍ବେ ମାତାଙ୍କ ପାଖରେ ସବୁବେଳେ ରହି ଗୃହ କାର୍ଯ୍ୟରେ ମାତାଙ୍କୁ ସାହାଯ୍ୟ କରିଥାନ୍ତି, ଦୀନମାନଙ୍କୁ ଯଥାସାଧ୍ୟ ଦାନ, ହାସପାତାଳର ରୋଗିମାନଙ୍କୁ ବସ୍ତ୍ରାଦି ପ୍ରଦାନ, ଦରିଦ୍ର, ପଡ଼ୋସୀମାନଙ୍କର ତତ୍ତ୍ୱାବଧାନ, ରୋଗିମାନଙ୍କ ନିମନ୍ତେ ପରିଚ୍ଛଦ ପ୍ରସ୍ତୁତ କରଣ, ତାଙ୍କର ପ୍ରିୟ ଓ ନିତ୍ୟକର୍ମ୍ମ ଥିଲା । ଏହିସବୁ ସାତ୍ୱିକ ଗୁଣ ଦେଖି ତାଙ୍କୁ ତାଙ୍କର ଜନନୀ ବିଶେଷ ଭଲ ପାଉଥିଲେ । ସେ ନାନାକାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ଅଧ୍ୟୟନ ବିଷୟରେ କିଛିମାତ୍ର ଉଦସୀନ ନ ଥିଲେ । ଇତିହାସପ୍ରତି ତାଙ୍କର ଅଧିକ ଅନୁରାଗ । ସେ ଇଂଲଣ୍ଡର ଇତିହାସ ମନୋଯୋଗପୂର୍ବକ ଅଧ୍ୟୟନ ଓ ଆଲୋଚନା କରି ଅଭିଜ୍ଞତା ଉପାର୍ଜ୍ଜନ କରିଅଛନ୍ତି । ସେ ଯେପରି ଆଦର୍ଶ ଦୁହିତା ସେହିପରି ଆଦର୍ଶ ଜନନୀ । ୧୯୦୧ ଖ୍ରୀଃରେ ପ୍ରାତଃସ୍ମରଣୀୟା ମହାରାଣୀ ଭିକ୍ଟୋରିୟା ଇହଲୋକ ପରିତ୍ୟାଗ କଲେ । ମହାରାଣୀଙ୍କ ପରଲୋକଯାତ୍ରା ପରେ ଯୁବରାଜ-ପ୍ରିନସ୍‌ ଅବ୍‌ ଓୟେଲ୍‌ସ ସପ୍ତମ ଏଡ଼ୋୟାର୍ଡ଼ ନାମ ଧାରଣ କରି ଇଂଲଣ୍ଡର ରାଜା ଓ ଭାରତର ସମ୍ରାଟ ହେଲେ, ପ୍ରିନସ୍‌ ଜର୍ଜ୍ଜ ମଧ୍ୟ ଯୁବରାଜ-ପ୍ରିନସ୍‌ ଅବ୍‌ ଓୟେଲ୍‌ମ ହେଲେ । ଏହି ସମୟଠାରୁ ସମ୍ରାଟ ଏଡ଼ୋୟାର୍ଡ଼ ବକିଂହାମ ରାଜପ୍ରାସାଦରେ ଏବଂ ସପତ୍ନୀକ ଯୁବରାଜ ମାର୍‌ଲବରା ରାଜପ୍ରାସାଦରେ ଅବସ୍ଥାନ କଲେ ।

 

ଏହି ବର୍ଷ ( ୧୯୦୧ ଖ୍ରୀଃ ) ଅଷ୍ଟ୍ରେଲିୟାରେ ନୂତନ ପାର୍ଲିୟାମେଣ୍ଟ ସ୍ଥାପନର ସିଦ୍ଧାନ୍ତ ହେଲା । ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ ସେହି ପାଲୟାମେଣ୍ଟ ମୁକ୍ତ ବା ପ୍ରତିଷ୍ଠା କରିବାନିମନ୍ତେ ଯୁବରାଜ ଜର୍ଜ୍ଜଙ୍କୁ ଅଷ୍ଟ୍ରେଲିୟାକୁ ପ୍ରେରଣ କଲେ । ଯୁବରାଜ ସ୍ମୀୟପତ୍ନୀଙ୍କ ସହିତ ପିତ୍ରାଜ୍ଞା ପାଳନ କରି ଜଳଯାନରେ ଅଷ୍ଟ୍ରେଲିୟା ଯାତ୍ରା କଲେ । ସେଠାରେ ଲୋକମାନେ ସପତ୍ନୀକ ଯୁବରାଜ ମହୋଦୟଙ୍କୁ ବିଶେଷ ସମାରୋହ ଓ ସମାହରର ସହିତ ଅଭ୍ୟର୍ଥନା କରିଥିଲେ । ତତ୍ପରେ ସେ ଯେଉଁକାର୍ଯ୍ୟ କରିବା ନିମନ୍ତେ ପ୍ରେରିତ ହୋଇଥିଲେ ତାହା ସୂଚାରୁରୂପେ ସମ୍ପନ୍ନ କରିଥିଲେ । ସେମାନଙ୍କ ଅମାୟିକ ବ୍ୟବହାରରେ ଅଷ୍ଟ୍ରେଲିୟାବାସୀ ପରମ ପ୍ରୀତ ହୋଇ ସେମାନଙ୍କର ଆୟୁରାରୋଗ୍ୟ ବିବୃଦ୍ଧି କାମନା କରିଥିଲେ ।

 

୧୯୦୫ ଖ୍ରୀଃରେ ଯୁବରାଜ ଜର୍ଜ୍ଜ ତାଙ୍କର ସହଧର୍ମ୍ମଣୀ-ଇଂଲଣ୍ଡର ବର୍ତ୍ତମାନ ରାଜକୁଳଲକ୍ଷ୍ମୀ ମେରୀଙ୍କ ସହିତ ଭାରତ ଭ୍ରମଣ ନିମନ୍ତେ ଶୁଭାଗମନ କରିଥିଲେ । ବିବିଧ ଜାତିର ଅଧ୍ୟୁଷିତ, ବିବିଧ ଧର୍ମ୍ମର ଲୀଳା ଭୂମି, ବହୁଭାଷାର ବିଳାସକ୍ଷେତ୍ର ବିଶାଳ ଭାରତବର୍ଷର ବିବିଧ ବିଚିତ୍ର ଦୃଶ୍ୟ ଓ ବିପୁଳ ମାନବସଙ୍ଘର ତଦପେକ୍ଷା ବିଚିତ୍ର ଜୀବନନାଟକର ଦୈନନ୍ଦିନ ଅଭିନୟ ଏବଂ ସର୍ବ୍ବୋପରି ତୁଷାରକିରୀଟି ହିମାଚଳଠାରୁ ସାଗରାମ୍ୱରା କନ୍ୟା କୁମାରୀ ପର୍ଯ୍ୟନ୍ତ,-ସିନ୍ଧୁଦେଶଠାରୁ ବ୍ରହ୍ମଦେଶ ପର୍ଯ୍ୟନ୍ତ ଭାରତର ସର୍ବ୍ବତ୍ର ରାଜଭକ୍ତିର ଉବ୍ବେଳ ଉଚ୍ଛ୍ୱାସ ଦେଖି ଭାରତର ବର୍ତ୍ତମାନ ଅଧୀଶ୍ୱର ଯେପରି ପ୍ରୀତି ଓ ମୁଗ୍ଧ ହୋଇଥିଲେ,-ଭାବୀ ସମ୍ରାଟଙ୍କ ହୃଦୟର ମହତ୍ତ୍ୱ ଚରିତ୍ରର ଔଦାର୍ଯ୍ୟ ଓ ମାଧୁର୍ଯ୍ୟ ଏବଂ ସ୍ୱଭାବସିଦ୍ଧ ସାରଲ୍ୟ ଓ ସହୃଦୟତା, ସର୍ବୋପରି ତାଙ୍କର ପ୍ରଜାବତ୍ସଳତା ଓ ଭାରତବାସିଙ୍କ ପ୍ରତି ଆନ୍ତରିକ ସମବେଦନାର ପରିଚୟ ପାଇ ଭାରତର ସମସ୍ତ ଅଧିବାସୀ ସେହିପରି ପ୍ରୀତ ଓ ମୁଗ୍ଧ ହୋଇଥିଲେ ।

 

ଯୁବରାଜ ମହୋଦୟ ଭ୍ରମଣକାଳରେ ଭାରତ ଓ ବ୍ରହ୍ମ ଦେଶର ପ୍ରାୟ ସମସ୍ତ ପ୍ରଧାନ ଓ ସୁବିଖ୍ୟାତ ନଗର ଏବଂ କେତେକ ପଲ୍ଲୀଗ୍ରାମ ପରିଦର୍ଶନ କରିଥିଲେ । କେବଳ ଆମୋଦ ପ୍ରମୋଦ ନିମନ୍ତେ ସେ ଏଦେଶକୁ ଆଗମନ କରି ନ ଥିଲେ,-ଭାରତୀୟ ପ୍ରଜାବର୍ଗଙ୍କର ପ୍ରକୃତ ଅବସ୍ଥା ଅବଗତ ହେବା ତାଙ୍କ ଆଗମନର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସୁତରାଂ ଯେତେବେଳେ ଯେଉଁଠାରେ ଯାହାଙ୍କ ସହିତ ତାଙ୍କର ସାକ୍ଷାତ ହେଉଥିଲା ତାଙ୍କୁ ଦେଶର ଅବସ୍ଥା ସମ୍ୱନ୍ଧରେ ବହୁ ପ୍ରଶ୍ନ କରି ଭାରତର ପ୍ରକୃତ ଅବସ୍ଥା ଅବଗତ ହେବାର ଚେଷ୍ଟା କରିଥିଲେ । ସେ ଭ୍ରମଣକାଳରେ ଯେତେବେଳେ ଯେଉଁ ସ୍ଥାନରେ ଶୁଭ ପଦାର୍ପଣ କରିଥିଲେ, ସେତେବେଳେ ସେହି ସ୍ଥାନର ପ୍ରଜାମାନଙ୍କଦ୍ୱାରା ମହା ସମାରୋହର ସହିତ ଅଭ୍ୟର୍ଥିତ ହୋଇଥିଲେ । ଦୀର୍ଘକାଳ ଭାରତ ଭ୍ରମଣରେ ଅତିବାହିତ କରି ସପତ୍ନୀକ ଯୁବରାଜ ମହୋଦୟ ୧୯୦୬ ଖ୍ରୀଃ ରେ ଇଂଲଣ୍ଡକୁ ଫେରିଗଲେ । ତାଙ୍କର ଅଭ୍ୟର୍ଥନା ଉପଲକ୍ଷେ ଲଣ୍ଡନର ଗିଲଡ଼ ହଲରେ ଗୋଟିଏ ସଭା ହୋଇଥିଲା । ଯୁବରାଜ ସେଠାରେ ସାଦରେ ଅଭ୍ୟର୍ଥିତ ହେବାପରେ ଭାରତ ଭ୍ରମଣସମ୍ୱନ୍ଧରେ ଯେଉଁ ବକ୍ତୃତା କରିଥିଲେ ତହିଁର ସ୍ଥୂଳବିବରଣ ନିମ୍ନରେ ପ୍ରକାଶ କରୁଅଛୁଁ ।

 

‘‘ଭାରତବର୍ଷ ଦର୍ଶନ କରି ମୁଁ ଯଥେଷ୍ଟ ଆନନ୍ଦ ଲାଭ କରିଅଛି । ଭାରତବର୍ଷର ଲୋକମାନେ ଆମ୍ଭମାନଙ୍କୁ, ସବୁଠାରେ ସଗୌରବ ସମ୍ୱର୍ଦ୍ଧନା କରିଥିଲେ । ରେଲଓୟେ ଶକଟରେ ଓ ନଗରେ ଆମ୍ଭମାନଙ୍କର ସ୍ୱଚ୍ଛନ୍ଦତା ନିମନ୍ତେ ଭାରତବର୍ଷୀୟ ଗବର୍ଣ୍ଣମେଣ୍ଟ ସୁବନ୍ଦୋବସ୍ତ କରିଥିବା ହେତୁ ସେମାନଙ୍କୁ ଆମ୍ଭେ ଧନ୍ୟବାଦ ପ୍ରଦାନ କରୁଅଛୁଁ । ୩୦ ବର୍ଷ ପୂର୍ବ୍ବେ ଆମ୍ଭର ପୂଜ୍ୟପାଦ ପିତା ମହୋଦୟ ଭାରତର ଯେଉଁ ଯେଉଁ ସ୍ଥାନ ଦର୍ଶନ କରିଥିଲେ ସେହିପରି ସେହିସବୁ ସ୍ଥାନକୁ ଗମନ କର ଆମ୍ଭେ ସେହି ସେହି ସ୍ଥାନର ଲୋକମାନଙ୍କ ମୁଖରୁ ଆମ୍ଭର ପିତୃଦେବଙ୍କର ଯଥେଷ୍ଟ ସୁଖ୍ୟାତିର କଥା ଶ୍ରବଣ କରିଅଛୁଁ । ସେହି ସ୍ମରଣୀୟ ସମୟକୁ ସେମାନେ ପରମ ଗୌରବର ଦିନବୋଲି ଗୌରବ ପ୍ରକାଶ କରନ୍ତି । ଯେଉଁମାନେ ଆମ୍ଭ ପିତାଙ୍କୁ ସ୍ୱଚକ୍ଷୁରେ ଦେଖି ଅଛନ୍ତି,-ସ୍ମକର୍ଣ୍ଣରେ ତାଙ୍କର ବକ୍ତୃତା ଶ୍ରବଣ କରିଅଛନ୍ତି,-କେବଳ ସେହିମାନେ ଯେ ଗୌରବ ପ୍ରକାଶ କରନ୍ତି ଏପରି ନୁହେ,-ତରୁଣ ବୟସ୍କ ଯୁବକମାନେ ମଧ୍ୟ ଶ୍ରୁତିପ୍ରମାଣରେ ତାଙ୍କର ଗୌରବ କୀର୍ତ୍ତନ କରିଥାନ୍ତି । ଯେଉଁ ଯେଉଁ ସ୍ଥାନକୁ ଆମ୍ଭେମାନେ ଯାଇଅଛୁଁ ସେହିସବୁ ସ୍ଥାନର ଲୋକମାନେ ପର୍ବ୍ବ ଦିବସ ପରି ଗୃହକାର୍ଯ୍ୟ ବନ୍ଦ ରଖି ନଗର ଓ ରାଜପଥଆଦି ଉତ୍ତମରୂପେ ସଜ୍ଜିତ କରି ଆମ୍ଭମାନଙ୍କ ପରିତପ୍ତି ନିମିତ୍ତ ନାନାପ୍ରକାର ଉତ୍ସବାନୁଷ୍ଠାନ କରିଥିଲେ” ।

 

‘‘ଦୁଃଖର ବିଷୟ ଆମ୍ଭର ଭ୍ରମଣ କାଳରେ ଭାରତର ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ହୋଇଥିଲା-। ଗୋୟାଲିୟର ରାଜ୍ୟର ଦୁର୍ଭିକ୍ଷର ଶିବିର ପରିଦଶନ କରି ଆମ୍ଭେ ଅତିଶୟ ଦୁଃଖିତ ହୋଇଥିଲୁଁ । ମାତ୍ର ଦୁର୍ଭିକ୍ଷ ଦମନ ନିମନ୍ତେ ଯେପରି ସୁବନ୍ଦୋସ୍ତ ହୋଇଥିଲା ତାହା ଦର୍ଶନ କରି ସୁଖୀ ହୋଇଥିଲୁଁ” ।

 

‘‘ଭାରତର ନାନାସ୍ଥାନର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସହିତ ସାମୟିକ ବିଷୟରେ କଥୋପକଥନ କରି ଆମ୍ଭେ ଆଶାଧିକ ପ୍ରୀତି ଅନୁଭବ କରିଅଛୁଁ । ସେମାନଙ୍କର ବଦାନ୍ୟତା ଓ ସଦାଶୟତା ବିଶେଷ ପ୍ରଶଂସନୀୟ । ଭାରତର ପ୍ରାଚୀନ ଆଚାରାନୁଗତ ପଦ୍ଧତି ଅନୁସାରେ ସେମାନେ ଆମ୍ଭମାନଙ୍କୁ ମହାସମାଦରରେ ଅଭ୍ୟର୍ଥନା କରିଥିଲେ । କ୍ଷମବାନ୍‌ ଲୋକମାନଙ୍କର ସାଧାରଣ ହିତକର କାର୍ଯ୍ୟପ୍ରତି ଯଥେଷ୍ଟ ଅନୁରାଗ ଥିବାର ପରିଚୟ ପାଇଅଛୁଁ” ।

 

‘‘ଭାରତର ସ୍ୱାଧୀନ ନରପତିମାନେ ସୁସଜ୍ଜିତ ଓ ସୁଶିକ୍ଷିତ ସେନାଦଳ ରଖିଅଛନ୍ତି । ଯୁଦ୍ଧ ବିଗ୍ରହ ସମୟରେ ସେମାନେ ଆହ୍ଲାଦପୂର୍ବକ ଆମ୍ଭମାନଙ୍କର ଉପକାରପାଇଁ ସେହିସବୁ ସୈନ୍ୟ ଭାରତ ଗବର୍ଣ୍ଣମେଣ୍ଟଙ୍କ ହସ୍ତରେ ଅର୍ପଣ କରିଥାନ୍ତି” ।

 

‘‘ପ୍ରତ୍ୟେକ ପ୍ରଦେଶର ଭିନ୍ନ ଭିନ୍ନ ନଗରର ଏବଂ ଭିନ୍ନ ଭିନ୍ନ ଜିଲାର କାଯ୍ୟପ୍ରଣାଳୀ ଦର୍ଶନରେ ଆମ୍ଭେ ସନ୍ତୋଷଲାଭ କରିଅଛୁ । ତାଦୃଶ୍ୟ ବିସ୍ତୃତ ରାଜ୍ୟରେ ଅତି ଅଳ୍ପମାତ୍ର ଇଂରେଜ ବିଚାରପତି ଅଛନ୍ତି, ଅଧିକାଂଶ ବିଚାରପତି ଭାରତବାସୀ । ସେମାନେ ବିଶେଷ ଯୋଗ୍ୟତାର ସହିତ ବିଚାରକାର୍ଯ୍ୟନିର୍ବାହ କରୁଅଛନ୍ତି” ।

 

‘‘ଡିସମ୍ୱର ମାସରେ ରାଉଲପିଣ୍ଡିଠାରେ ବଡ଼ ସେନାପତି ଲର୍ଡ଼କିଚନାରଙ୍କ ଆଶ୍ରମରେ ଅବସ୍ଥାନ କରିଥିଲୁଁ । ସେଠାରେ ଆମ୍ଭେ ୫୫ ହଜାର ସେନାଙ୍କର କବାଏତ୍‌ ଦେଖିଅଛୁଁ । ସେମାନଙ୍କର ସାଜସଜ୍ଜା ଓ ବଳ ବିକ୍ରମ ଦେଖି ଆମ୍ଭେ ତୁଷ୍ଟ ହୋଇଅଛୁଁ । ଭାରତବାସୀ ସୈନ୍ୟମାନେ ବୀର୍ଯ୍ୟବାନ୍‌ ଓ ବଳିଷ୍ଠ ଦେହ । ରଣକୌଶଳ ଶିକ୍ଷାରେ ମଧ୍ୟ କୌଣସି ଅଂଶରେ ହୀନ ନୁହନ୍ତି” ।

 

ଭାରତ ଭ୍ରମଣ କାଳରେ ଆମ୍ଭେ ନାନାସ୍ଥାନରେ ଅନେକ ଗୁଡ଼ିଏ କଲେଜ ଓ ସ୍କୁଲ ପରିଦର୍ଶନ କରି ସୁଖୀ ହୋଇଅଛୁଁ । ଆଲିଗଡ଼ର ମୁସଲମାନ କଲେଜ ଓ ସ୍କୁଲ ଗବର୍ଣ୍ଣମେଣ୍ଟଙ୍କ ସାହାଯ୍ୟ ବ୍ୟତୀତ ପ୍ରଧାନ ପ୍ରଧାନ ଧନୀ ମୁସଲମାନମାନଙ୍କ ବ୍ୟୟରେ ପରିଚାଳିତ ହୁଏ । ଭାରତରେ ସ୍ୱାଧୀନ ବିଦ୍ୟାଳୟର ସଂଖ୍ୟା ବୃଦ୍ଧି ହେଲେ ସହଜରେ ଦେଶବ୍ୟାପିନୀ ଶିକ୍ଷା ବିସ୍ତୃତ ହେବ । ଭାରତରେ ୩୦ କୋଟିର ଅଧିକଲୋକର ବାସ,-ଭିନ୍ନ ଭିନ୍ନ ଜାତି, ଭିନ୍ନ ଭିନ୍ନ ଭାଷା, ଭିନ୍ନ ଭିନ୍ନ ଆଚାର” ।

 

‘‘ଭାରତବର୍ଷର ଭୂମି ପରିମାଣ ଅସୀମ, ଭିନ୍ନପ୍ରକାର ଜଳବାୟୁ, ତୁଷରାବୃତ ପର୍ବତମାଳା, ସୀମାଶୂନ୍ୟ ମରୁଭୂମି, ବୃହତ୍‌ ବୃହତ୍‌ ନଦନଦୀ ବିଚିତ୍ର ବିଚିତ୍ର ସ୍ଥପତି କାର୍ଯ୍ୟ, ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ କାରୁକାର୍ଯ୍ୟ ଖଚିତ କୀର୍ତ୍ତିସ୍ତମ୍ଭ ଦର୍ଶନ କରି ଆମ୍ଭେ ବିସ୍ମୟାପନ୍ନ ହୋଇଅଛୁଁ । ଭାରତବାସିମାନଙ୍କର ଧୈର୍ଯ୍ୟ, ମିତାଚାର, ରାଜଭକ୍ତି ଓ ସ୍ୱଧର୍ମାନୁଚାର ଏବଂ ଶିଷ୍ଟାଚାର ଆମ୍ଭର ଆନନ୍ଦବର୍ଦ୍ଧନ କରିଅଛି” ।

 

ଯୁବରାଜ ମହୋଦୟ ଭାରତଭ୍ରମଣ ସମୟରେ ଜୟପୁର ଜଙ୍ଗଲରେ ନିଜଜୀବନରେ ସର୍ବପ୍ରଥମ ବ୍ୟାଘ୍ର ଶୀକାର କରିଥିଲେ । ଗୋଟାଏ ବ୍ୟାଘ୍ର ଯୁବରାଜଙ୍କଦ୍ୱାରା ଆକ୍ରାନ୍ତ ହୋଇ ଆତ୍ମରକ୍ଷା ନିମନ୍ତେ ପଳାୟନ କଲା, ଯୁବରାଜ ବନ୍ଧକହସ୍ତରେ ତାହାର ପଶ୍ଚାଦ୍ଧାବିତ ହେଲେ, କିନ୍ତୁ ବହୁ ଚେଷ୍ଟା କରି ସୁଦ୍ଧା ବ୍ୟାଘ୍ରର ଅତିସମୀପବର୍ତ୍ତୀ ହୋଇ ନ ପାରି ଧାବିତ ବ୍ୟାଘ୍ରକୁ ଲକ୍ଷ୍ୟ କରି ଗୁଳି ନିକ୍ଷେପ କଲେ । ଯୁବରାଜଙ୍କ ‘‘ଚଳଲକ୍ଷ ନିପାତନ’’ରେ ନିଜେ ନିଜର ପଟାନ୍ତର । ଯୁବରାଜ ଗୁଳିରେ ଗତିଶୀଳ ବ୍ୟାଘ୍ର ଭୁପତିତ ହେବାର ଦେଖି ତାଙ୍କର ସହଚର ଅନୁଚରମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଏହା ବ୍ୟତୀତ ଯୁବରାଜ ଜୟପୁରରେ ଆଉ ଗୋଟାଏ ଭୟଙ୍କର ବ୍ୟାଘ୍ର ଏବଂ ଗୋଟାଏ ଶୁକର, ଗୋୟାଲିୟର ଜଙ୍ଗଲରେ ୬ ଗୋଟା ବ୍ୟାଘ୍ର, ୩ ଗୋଟା ଚିତାବାଘ, ୨ ଗୋଟା ଶୂକର, ଓ ବହୁସଂଖ୍ୟକ କ୍ଷୁଦ୍ରଜନ୍ତୁ, ଉଦୟପୁରର ଜଙ୍ଗଲରେ ୩ ଗୋଟା ହାଏନା, ୪ ଗୋଟା ଶୂକରୀ ବନ୍ଧୁକଦ୍ୱାରା ହତ କରି ଏଦେଶର ଲୋକମାନଙ୍କୁ ସ୍ୱୀୟ ମୃଗୟାକୁଶଳତାର ସୁନ୍ଦର ପରିଚୟ ପ୍ରଦାନ କରିଥିଲେ ।

 

ବିକାନୀର ରାଜ୍ୟରେ ନାନାଜାତୀୟ ଅତିସ୍ୱରୂପ ଓ ସୁମିଷ୍ଟସ୍ୱର ପକ୍ଷୀ ବାସ କରନ୍ତି । ସେମାନଙ୍କ ପରି ସତର୍କ ପ୍ରାଣୀ ସଚରାଚର ପରିଲିକ୍ଷିତ ହୁଏନାହିଁ । ସେହି ସବୁ ପକ୍ଷୀ ଶୀକାର ନିମନ୍ତେ ସେହିସବୁ ପକ୍ଷୀଙ୍କ ଆବାସ ବୃକ୍ଷ ତଳେ ଲତାଗୁଳ୍ମାଚ୍ଛାଦିତ କୁଞ୍ଜୋପମ କୁଟୀରମାନ ନିର୍ମାଣ କରାଯାଇଥିଲା । ଯୁବରାଜ ମହୋଦୟ ଘନାଚ୍ଛାଦିତ ଏକ କୁଟୀରରେ ପ୍ରବେଶ କରି ଅତ୍ୟଳ୍ପ ସମୟ ମଧ୍ୟରେ ୨୦୭ ଗୋଟା ନାନାବର୍ଣ୍ଣ ଚିତ୍ରିତ ପକ୍ଷୀ ଶୀକାର କରିଥିଲେ । କିନ୍ତୁ ସେହି ସମୟ ମଧ୍ୟରେ ତଦୀୟ ସଙ୍ଗିମାନଙ୍କ ମଧ୍ୟରେ କେହି ଶତାଧିକ ପକ୍ଷୀ ସୁଦ୍ଧା ଶୀକାର କରିପାରି ନ ଥିଲେ ।

 

ଗତ ୧୯୧୦ ଖ୍ରୀଷ୍ଟାବ୍ଦ ମେ ମାସ ୬ ତାରିଖ ଶୁକ୍ରବାର ରାତ୍ରରେ ଆମ୍ଭମାନଙ୍କର ଭକ୍ତି ଭାଜନ ବିବିଧସଦ୍‌ଗୁଣ ସମ୍ପନ୍ନ ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ ସମସ୍ତ ବ୍ରିଟିଶ ସାମ୍ରାଜ୍ୟକୁ ଅକୁଳ ଶୋକସାଗରରେ ଭସାଇ ଦେଇ ଇହଲୋକ ପରିତ୍ୟାଗ କଲେ । ସେହି ଅସହନୀୟ ଗଭୀର ଶୋକରେ ବ୍ରିଟିଶ ସାମ୍ରାଜ୍ୟର ପ୍ରଜାମାନେ ବିଷାଦମଗ୍ନ ହୋଇଥିଲେ । ପୃଥିବୀର ନାନାସ୍ଥାନରୁ ଯୁବରାଜ ଜର୍ଜ୍ଜ ଓ ରାଣୀମାତା ଆଲେକଜାଣ୍ଡାଙ୍କ ନିକଟକୁ ଅସଂଖ୍ୟ ସମବେଦନା ପ୍ରକାଶକ ଟେଲିଗ୍ରାମ ପ୍ରେରିତ ହୋଇଥିଲା । ପତିବିୟୋଗବିଧୂରା ରାଣୀମାତା ଆଲେକଜାଣ୍ଡା ପ୍ରାପ୍ତ ଟେଲିଗ୍ରାମ ସମୂହର ଉତ୍ତରରେ ପ୍ରଜାମଣ୍ଡଳୀଙ୍କୁ ସମ୍ୱୋଧନ କରି ପ୍ରକାଶ କରିଅଛନ୍ତି,-

 

‘‘ମୋର ଏହି ସର୍ବ୍ବଗ୍ରାସୀ ଶୋକ ଓ ବାକ୍ୟତୀତ ମର୍ମ୍ମବେଦନା ସମୟରେ ଉଚ୍ଚ ନୀଚ ସର୍ବଶ୍ରେଣୀର ଲୋକ ଯେଉଁ ହୃଦୟସ୍ସର୍ଶୀ ସମବେଦନା ପ୍ରଦର୍ଶନ କରିଅଛନ୍ତି, ତହିଁ ସକାଶେ ମୋର ଦୀନ ବିଦୀର୍ଣ୍ଣ ହୃଦୟର ଅନ୍ତସ୍ଥଳରୁ ସମସ୍ତ ଜାତି ଓ ମୋର ସମସ୍ତ ହୃଦୟ ପ୍ରଜାବର୍ଗଙ୍କୁ ମୋର ହୃଦ୍‌ଗତ କୃତଜ୍ଞତା ଜ୍ଞାପନ କରିବାକୁ ଇଚ୍ଛା କରେଁ । ପ୍ରେମାସ୍ସଦ ସ୍ୱାମିଙ୍କୁ ହରାଇ ମୁଁ ଯେ କେବଳ ସର୍ବସ୍ୱହୀନ ହୋଇଅଛି ତାହା ନୁହେ କିନ୍ତୁ ସମସ୍ତ ଜାତି ମଧ୍ୟ ସେମାନଙ୍କ ସର୍ବଶ୍ରେଷ୍ଠ ବନ୍ଧୁପିତା ଓ ରାଜାଙ୍କ ଅକସ୍ମାତ୍‌ ତିରୋଭାବରେ ଅପରିପୂରଣୀୟ କ୍ଷତିଗ୍ରସ୍ତ ହୋଇଅଛନ୍ତି । ଈଶ୍ୱର ଆମ୍ଭ ସମସ୍ତଙ୍କୁ ତାଙ୍କର ଅମାନୁଷୀ ଆଶ୍ରୟ ଦାନ କରନ୍ତୁ ଯହିଁରେ ତାହାଙ୍କ ପ୍ରେରିତ ଏହି ଗଭୀର ଶୋକ ଆମ୍ଭେମାନେ ସହ୍ୟ କରିପାରୁଁ । ତାଙ୍କର ଇଚ୍ଛା ପୂର୍ଣ୍ଣ ହେଉ” ।

 

ଆପଣମାନେ ଭଗବଦୁପାସନା ସମୟରେ ମୋତେ ସ୍ମରଣ କଲେ ମୋର ଭାବୀ ଦୁଃଖକଷ୍ଟରେ ତାହା ମୋ ପକ୍ଷେ ବଳ ସାନ୍ତନାପ୍ରଦ ହେବ । ମୁଁ ମୋର ସ୍ନେହାସ୍ପଦ ପୁତ୍ରଙ୍କୁ ଆପଣମାନଙ୍କ ହସ୍ତରେ ଅର୍ପଣ କରୁଅଛି । ମୁଁ କହିପାରେଁ ମୋର ପୁତ୍ର ସର୍ବଦା ତାହାଙ୍କ ପିତାଙ୍କ ପଦାଙ୍କାନୁସରଣ କରି ଚଳିବେ । ଆପଣମାନଙ୍କ ନିକଟରେ ମୋର ଶେଷଭିକ୍ଷା ଏହି ଯେ,-କୁମାରଙ୍କ ପିତାଙ୍କ ଉପରେ ଆପଣମାନଙ୍କର ଯେପରି ଭକ୍ତି ଥିଲା ଏହାଙ୍କ ପ୍ରତି ମଧ୍ୟ ସେହିପରି ଭକ୍ତି ଚିର ସ୍ଥିର କରି ରଖିବେ । ମୁଁ ଜାଣେ ମୋର ପୁତ୍ର ଓ ପୁତ୍ରବଧୂ ଆପଣମାନଙ୍କର ଭକ୍ତିର ପତ୍ର ହେବା ଏବଂ ସେହି ଭକ୍ତି ସ୍ଥାୟୀହେବା ନିମନ୍ତେ ଯଥାସାଧ୍ୟଚେଷ୍ଟା କରିବେ ।’’

 

ସମ୍ରାଟ ଏଡ଼ୋୟାର୍ଡ଼ଙ୍କ ମୃତ୍ୟୁରେ ଭାରତବାସୀ ଶୋକରେ ମୁହ୍ୟମାନ ହୋଇଅଛନ୍ତି ବୋଲି ବଡ଼ଲାଟ ଲର୍ଡ଼ ମିଣ୍ଟୋ ପଞ୍ଚମ ଜର୍ଜ୍ଜଙ୍କୁ ଜଣାଇଥିଲେ,-‘‘ ମୋର ପରମଭକ୍ତି ଭାଜନ ପିତା-ସମ୍ରାଟଙ୍କ ମୃତ୍ୟୁରେ ମୋର ଭାରତସାମ୍ରାଜ୍ୟର ସକଳଜାତି ଓ ସକଳ ଧର୍ମ୍ମାବଲମ୍ୱୀ ପ୍ରଜାମାନେ ଓ ରାଜନ୍ୟବର୍ଗ ଯେଉଁ ସମବେଦନା ଓ ରାଜଭକ୍ତି ପ୍ରକାଶ କରିଅଛନ୍ତି ଆପଣଙ୍କ ପତ୍ରଦ୍ୱାରା ତାହା ଅବଗତ ହୋଇ ମୁଁ ପ୍ରଗାଢ଼ ମର୍ଯ୍ୟାଦାର ସହିତ ତାହା ଗ୍ରହଣ କରିଅଛି । ସମ୍ରାଟ ଏଡ଼ୋୟାର୍ଡ଼ଙ୍କ ମୃତ୍ୟୁରେ ଯେଉଁ ସାର୍ବଲୌକିକ ଶୋକ ପ୍ରକାଶ କରାଯାଇଅଛି ତଦ୍ଦ୍ୱାରା ମୋର ହୃଦୟ ସମ୍ପୂର୍ଣ୍ଣରୂପେ ଦ୍ରବୀଭୂତ ହୋଇଅଛି । କୃତ ସମ୍ରାଟ ସବୁବେଳେ ତାଙ୍କର ଭାରତ ପରିଦର୍ଶନ ବିଷୟ ଅତି ଅନୁରାଗର ସହିତ ସ୍ମରଣ କରିଥାନ୍ତି ଏବଂ ଭାରତର କଲ୍ୟାଣକାମନା ସର୍ବଦା ତାଙ୍କ ମନରେ ଜାଗରୁକ ଥାଏ । ମୋର ସିଂହାସନପ୍ରତି ଭାରତର ରାଜନ୍ୟବୃନ୍ଦ ଓ ପ୍ରଜାସମୂହଙ୍କର ଯେଉଁ ପ୍ରଗାଢ଼ ଅନୁରାଗ ଅଛି, ତାହା ମୋର ନିଜର ଅଭିଜ୍ଞତାରୁ ବୁଝଅଛି । ମୋର ସିଂହାସନାରୋହଣ ଉପଲକ୍ଷେ ସେମାନେ ଯେଉଁ ସେବାଞ୍ଜଳି ପ୍ରଦାନ କରିଅଛନ୍ତି ମୁଁ ତାହା ଗ୍ରହଣ କରିଅଛି । ଆପଣ ଏକଥା ସେମାନଙ୍କୁ ଜଣାଇଦେବେ ଏହାହିଁ ମୋର ଇଚ୍ଛା” ।

 

‘‘ଭାରତ ସାମ୍ରାଜ୍ୟର ଶ୍ରୀ ଓ ସୁଖ ଯେପରି ମୋର ପୂର୍ବବର୍ତ୍ତୀ ପରଲୋକଗତା ମହାରାଣୀ ଭିକ୍ଟୋରିୟା ଓ ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ଙ୍କର ସର୍ବ୍ବୋଚ୍ଚ ଅନୁରାଗ ଓ ଚିନ୍ତାର ବିଷୟ ଥିଲା ମୋର ମଧ୍ୟ ସର୍ବଦା ସେହିପରି ହେବ ।’’

 

ସମ୍ରାଟଙ୍କର ପରଲୋକ ଗମନର ପରଦିବସ ଅର୍ଥାତ୍‌୧୯୧୦ ଖ୍ରୀଃ ମେ ମାସ ୭ ତାରିଖ ପ୍ରାତଃକାଳରେ ଯୁବରାଜ ଜର୍ଜ୍ଜ ‘‘ପଞ୍ଚମ ଜର୍ଜ୍ଜ’’ ନାମ ଧାରଣକରି ଇଂଲଣ୍ଡର ରାଜସିଂହାସନରେ ଅଧିଷ୍ଠିତ ହେଲେ । ସେ ସେହି ଦିନଠାରୁ ଇଂଲଣ୍ଡର ରାଜା ଓ ଭାରତବର୍ଷର ସମ୍ରାଟ ହେଲେ । ଏଡ଼ୋୟାର୍ଡ଼ଙ୍କ ବିୟୋଗର ଏକ ସପ୍ତାହ ମଧ୍ୟରେ ଏକ ଦିବସରେ ଏବଂ ଏକ ସମୟରେ ବ୍ରିଟିଶ ସାମ୍ରାଜ୍ୟର ସର୍ବତ୍ର ଏହି ଘୋଷଣା ପ୍ରଚାରିତ ହେଲା । ସମସ୍ତେ ଜଗଦୀଶ୍ୱରଙ୍କ ଛାମୁରେ ନବ ସମ୍ରାଟଙ୍କର ଦୀର୍ଘଜୀବନ କାମନା କରିଥିଲେ ।

 

ପାର୍ଲିୟାମେଣ୍ଟ ମହାସଭାଦ୍ୱାରା ରାଜପଦରେ ଅଧିଷ୍ଠିତ ହୋଇ ଆମ୍ଭମାନଙ୍କର ନବୀନ ସମ୍ରାଟ ପଞ୍ଚମ ଜର୍ଜ୍ଜ ପ୍ରଜାମାନଙ୍କ ସାନ୍ତନା ସକାଶେ ନିମ୍ନୋକ୍ତ ପ୍ରକାରେ ଘୋଷଣା ପ୍ରଚାର କରିଥିଲେ ।

 

‘‘ମୁଁ ଦୁଃଖର ସହିତ ଜଣାଉଅଛି ଯେ ମୋର ପୂଜ୍ୟପାଦ ପିତୃ ଦେବଙ୍କର ମୃତ୍ୟୁ ହେଇଅଛି । ସେହି କ୍ଷତି କୌଣସିପ୍ରକାରେ ପୂର୍ଣ୍ଣ ହୋଇ ନ ପାରେ । ଅକସ୍ମାତ୍‌ ମୋର ଏବଂ ସମସ୍ତ ସାମ୍ରାଜ୍ୟ ଉପରେ ଏହି ବିପତ୍‌ପାତ ମୋର ଭବିଷ୍ୟତ୍‌ ପ୍ରଜାବର୍ଗ ମୋହ ସଙ୍ଗରେ ଏହି ବିପଦରେ ସହାନୁଭୂତି ପ୍ରକାଶ କରିବେ, ଯେ ପ୍ରଜାଙ୍କ ସୁଖବିଧାନ କରିପାରିଲେ ଏବଂ ସେମାନଙ୍କ ସୁଖର ଅଂଶୀ ହୋଇ ପାରିଲେ ଆପଣକୁ ସୁଖୀ ମନେ କରୁଥିଲେ, ରାଜଭକ୍ତ ପ୍ରଜାବୃନ୍ଦ, ସେମାନଙ୍କର ସେହି ସମ୍ରାଟଙ୍କ ସକାଶେ ଶୋକାର୍ତ୍ତ ହୋଇଅଛନ୍ତି,-ଏହି ଚିନ୍ତାହିଁ ମତେ ଅଶେଷ ସାନ୍ତ୍ୱନା ଦାନ କରୁଅଛି । ମୁଁ ପିତାଙ୍କ ସ୍ନେହରୁ କେବଳ ବଞ୍ଚିତ ହୋଇନାହିଁ,-ପ୍ରିୟତମ ସୁହୃଦ ଓ ସତ୍‌ପରାମର୍ଶ ଦାତାଙ୍କ ସ୍ନେହା ଓ ଘନିଷ୍ଠ ସମ୍ୱନ୍ଧରୁ ବଞ୍ଚିତ ହୋଇଅଛି । କିଞ୍ଚିଦଧିକ ୯ ବର୍ଷ ପୂର୍ବେ ଶ୍ରଦ୍ଧାସ୍ସଦ ପିତୃଦେବ ଏହି ସ୍ଥାନରେ ଦଣ୍ଡାୟମାନ ହୋଇ ଘୋଷଣା କରିଥିଲେ ଯେ,-‘‘ଯେତେଦିନ ତାଙ୍କ ଦେହରେ ପ୍ରାଣ ଥିବ ସେତେଦିନ ପର୍ଯ୍ୟନ୍ତ ସେ ପ୍ରଜାମାନଙ୍କର କଲ୍ୟାଣ ଓ ଉନ୍ନତି ସକାଶେ ପରିଶ୍ରମ କରିବେ । ସେ ଏହି ଘୋଷଣ କାର୍ଯ୍ୟରେ ମଧ୍ୟ ପରିଣତ କରିଥିଲେ । ତାଙ୍କର ପଦାଙ୍କାନୁସରଣ ଓ ଆଇନମୂଳକ ଶାସନପ୍ରଣାଳୀ ରକ୍ଷା କରିବା ମୋର ଜୀବନର ଆନ୍ତରିକ ଲକ୍ଷ୍ୟ ହେବ । ମୋ ଉପରେ ଯେ ଗୁରୁତର ଦାୟିତ୍ୱ ପତିତ ହୋଇଅଛି ତାହା ମୁଁ ଦୃଢ଼ଭାବରେ ଉପଲବ୍ଧି କରୁଅଛି । ମୁଁ ଜାଣେ ଏହି ଗୁରୁତର କର୍ତ୍ତବ୍ୟକର୍ମ୍ମ ସାଧନାରେ ମୁଁ ପାର୍ଲିୟାମେଣ୍ଟ ଗ୍ରେଟବ୍ରିଟନ, ଆୟର୍ଲଣ୍ଡ ଓ ସମୁଦ୍ରର ପରପାରବର୍ତ୍ତୀ ମୋର ରାଜ୍ୟସମୂହର ଅଧିବାସିମାନଙ୍କ ସାହାଯ୍ୟ ଉପରେ ନିର୍ଭର କରିପାରେଁ । ଈଶ୍ୱର ଯେପରି ମତେ ଏହି ଗୁରୁଭାର ବହନର ଶକ୍ତିପ୍ରଦାନ କରିବେ ଏବଂ ମୋର ପଥ ପ୍ରଦର୍ଶକ ହେବେ, ଆଶା କରେଁ ତହିଁ ସକାଶେ ସେମାନେ ପ୍ରାର୍ଥନା କରିବେ । ମୋର ସହଧର୍ମ୍ମିଣୀ ମଧ୍ୟ ପ୍ରଜାଙ୍କର କଲ୍ୟାଣକର କାର୍ଯ୍ୟରେ ମୋର ଚିରସଙ୍ଗିନୀ ହେବେ ଏହା ଜାଣି ମୁଁ ଉତ୍ସାହିତ ହୋଇଅଛି ।’’

 

ନବୀନ ସମ୍ରାଟଙ୍କର ଉପରୋକ୍ତ ଘୋଷଣା ଶ୍ରବଣ କରି ଇଂଲଣ୍ଡ ଓ ବ୍ରିଟିଶ ସାମ୍ରାଜ୍ୟର ଅଧିବାସି ସମୂହ ଆଶ୍ୱସ୍ତ ଓ ଆନନ୍ଦିତ ହୋଇ ବଦ୍ଧ କରପୁଟରେ ମଙ୍ଗଳବିଧାତା ଜଗଦୀଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ ।

 

ସମ୍ରାଟ ପଞ୍ଚମ ଜର୍ଜ୍ଜ ରାଜ୍ୟାଭିଷିକ୍ତ ହୋଇ ଭାରତୀୟ ପ୍ରଜା ସାଧାରଣ ଓ ରାଜନ୍ୟ ବର୍ଗଙ୍କ ମଧ୍ୟରେ ଯେଉଁ ଘୋଷଣା ପ୍ରଚାର କରିଥିଲେ ତହିଁର ମର୍ମ୍ମ ଏହି ଯେ,-

 

‘‘ଆମ୍ଭର ଶ୍ରଦ୍ଧାସ୍ସଦ ପିତୃ ଦେବଙ୍କ ଆକସ୍ମିକ ଲୋକାନ୍ତର ଗମନ ନିବନ୍ଧନ ଆମ୍ଭେ ତାଙ୍କର ସିଂହାସନରେ ଆରୋହଣ କରିଅଛୁଁ । ଆମ୍ଭେ ଏ ଦେଶର ପ୍ରାଚୀନ ରାଜବଂଶଧର ଓ ରାଜସିଂହାସନର ବୈଧ ଉତ୍ତରାଧିକାରୀ । ସେଥିପାଇଁ ଆମ୍ଭେ ରାଜମୁକୁଟ ଧାରଣ କରିଅଛୁଁ । ସିଂହାସନରେ ଆରୋହଣ କରି ରାଜା ଓ ସମ୍ରାଟରୂପେ ଆମ୍ଭେ ଆମ୍ଭର ଭାରତ ସାମ୍ରାଜ୍ୟର ସାଧାରଣ ପ୍ରଜାବର୍ଗଙ୍କୁ ଓ ରାଜନ୍ୟ ବୃନ୍ଦଙ୍କୁ ଯଥାଯୋଗ୍ୟ ଅଭିବାଦନ କରୁଅଛୁଁ । ଭାରତବର୍ଷର ବିଭିନ୍ନ ଜାତି ଓ ସମ୍ପ୍ରଦାୟଭୁକ୍ତ ଅଧିବାସିବର୍ଗ ଇଂଲଣ୍ଡର ରାଜମୁକୁଟ ପ୍ରତି ଏବଂ ବ୍ୟକ୍ତିଗତ ଭାବରେ ଆମ୍ଭର ସିଂହାସନ ପ୍ରାପ୍ତିରେ ଆମ୍ଭ ପ୍ରତି ଯେପରି ରାଜଭକ୍ତି ଓ ଆନୁରକ୍ତି ପ୍ରକାଶ କରିଅଛନ୍ତି ତହିଁ ସକାଶେ ଆମ୍ଭେ ଅନ୍ତରର ସହିତ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଅଛୁଁ । ଗତ ୧୮୫୮ ଖ୍ରୀଃରେ ସ୍ୱର୍ଗୀୟ ମହାରାଣୀ ଭିକ୍ଟୋରିୟା ମହୋଦୟା ସ୍ୱହସ୍ତରେ ଭାରତ ସାମ୍ରାଜ୍ୟର ଶାସନଭାର ଗ୍ରହଣ କାଳରେ ଭାରତୀୟ ରାଜନ୍ୟବର୍ଗ ଓ ଜନସାଧାରଣଙ୍କୁ ଘୋଷଣା ପ୍ରସଙ୍ଗରେ ଯେଉଁ ଅଭୟବାଣୀ ଶୁଣାଇଥିଲେ, ପଞ୍ଚାଶ ବର୍ଷ ପରେ ତାଙ୍କର ଜଗନ୍ନାନ୍ୟ ପୁତ୍ର ଏବଂ ଆମ୍ଭର ପ୍ରାତଃସ୍ମରଣୀୟ ଶାନ୍ତିକାମୀ ପିତୃଦେବ ରାଜ୍ୟଭାର ଗ୍ରହଣ ସମୟରେ ସେହିପରି ଆଉ ଗୋଟିଏ ଅଭିଭାଷଣ ପ୍ରଚାର କରିଥିଲେ । ଏହି ଦୁଇ ଘୋଷଣା ସାମ୍ରାଜ୍ୟବାସୀ ପ୍ରକୃତିପୁଞ୍ଜ ପକ୍ଷରେ ଅଧିକାରମୂଳକ ସନନ୍ଦ ବୋଲି ଗ୍ରାହ୍ୟ ହୋଇ ଆସୁଅଛି । ଏହି ଦୁଇ ଘୋଷଣାର ମର୍ମ୍ମନୁସାରେ ଆମ୍ଭେ ଆଜୀବନ ଶାସନଦଣ୍ଡ ପରିଚାଳନ କରିବୁଁ ଆମ୍ଭର ସ୍ୱର୍ଗୀୟ ପିତୃଦେବଙ୍କ ଅଭିପ୍ରାୟ ଅନୁସାରେ ଏବଂ ତାଙ୍କରି ଦୃଷ୍ଟାନ୍ତର ଅନୁସରଣ କରି ପାଞ୍ଚବର୍ଷ ପୂର୍ବ୍ବେ ଆମ୍ଭେ ଭାରତ ସାମ୍ରାଜ୍ୟ ପରିଦର୍ଶନ କରିବାକୁ ଯାଇଥିଲୁଁ । ସେ ସମୟରେ ଆମ୍ଭର ସହଧର୍ମ୍ମିଣୀ ମଧ୍ୟ ଆମ୍ଭର ଅନୁସଙ୍ଗିନୀ ହୋଇଥିଲେ । ଆମ୍ଭେ ଦୁହେଁ ସାକ୍ଷାତ ସମ୍ୱନ୍ଧରେ ଭାରତବର୍ଷର ଇତିହାସ ବିସ୍ତୃତ ବିରାଟ ବିଶାଳ ଜନପଦ ସମୂହ ଇଂଲଣ୍ଡର ସଭ୍ୟତା ଅପେକ୍ଷା ପ୍ରାଚୀନତର ସଭ୍ୟତା, ଆଚାର ବ୍ୟବହାର, ଜୀବନଯାତ୍ରାର ପଦ୍ଧତି, ଦେଶୀୟ ରାଜନ୍ୟବର୍ଗ, ବିଭିନ୍ନ ଶ୍ରେଣୀର ପ୍ରଜାପୁଞ୍ଜ, ରାଜଧାନୀ, ନଗରୀ, ପଲ୍ଲୀ ପ୍ରଭୃତି ସମସ୍ତ ଦର୍ଶନ କରିଅଛୁଁ ଏବଂ ସଙ୍ଗେ ୨ ସେ ସବୁର ପରିଚୟ ମଧ୍ୟ ଗ୍ରହଣ କରିଅଛୁଁ । ଏହି ବିସ୍ମୟୋଦ୍ଦୀପକ ଅପୂର୍ବ ପରିଭ୍ରମଣର ସମୁଜ୍ଜ୍ୱଳ ଚିତ୍ରାବଳୀ ଆମ୍ଭମାନଙ୍କର ମାନସଚକ୍ଷୁରେ ଚିରକାଳ ଜାଜ୍ଜ୍ୱଲ୍ୟମାନ ହୋଇ ରହିବ । କେବେହେଁ ମ୍ଲାନ ହେବନାହିଁ । ଇଂଲଣ୍ଡ ସହିତ ସେମାନଙ୍କର ଯେଉଁ ସମ୍ୱନ୍ଧ ତାହା ଅନୁରାଗପୂର୍ଣ୍ଣ ଓ ସ୍ନେହମୟ, ସେହି ସ୍ନେହାନୁରକ୍ତିର ନିଦର୍ଶନ ସମୂହ ଚିରକାଳ ସୁସ୍ପଷ୍ଟଭାବରେ ପ୍ରତିଭାତ ହେବ, କେବେହେଁ ମଳିନ ହେବନାହିଁ । ଆପଣମାନଙ୍କ କର୍ତ୍ତବ୍ୟନିଷ୍ଠା ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରକୃତ ସାହଚର୍ଯ୍ୟ ଉପରେ ଆମ୍ଭେ ଦୃଢ଼ଭାବରେ ନିର୍ଭର କରୁଅଛୁଁ । ସେହି ଅନୁରାଗ ମଧୁର ସମ୍ପର୍କ ସାହଚର୍ଯ୍ୟ ଆମ୍ଭ କାର୍ଯ୍ୟର ଦାୟିତ୍ୱ ଓ ରାଜ କର୍ତ୍ତବ୍ୟତାକୁ ଲାଘବ କରିବ । ଭାରତ ସାମ୍ରାଜ୍ୟର କଲ୍ୟାଣ କଳ୍ପେ ଯେଉଁ ସ୍ନେହାନୁରାଗ ଓ ସମବେଦନା ବିଶେଷ ଆବଶ୍ୟକ, ଯାହା ଆମ୍ଭର ଶାସକପଦ୍ଧତିର ମୂଳ ନୀତି,-ଆମ୍ଭ ପକ୍ଷରେ ତାହା ଭଗବାନଙ୍କର ଆଦେଶ ସ୍ୱରୂପ ହେବ ଏବଂ ଆପଣମାନେ ଆପଣମାନଙ୍କର ସମବେଦନାପ୍ରତି ସାକ୍ଷାତ ସମ୍ୱନ୍ଧରେ ଆନୁକୂଲ୍ୟ ପ୍ରକାଶ କରିବେ । ଏ ବିଷୟରେ ଆମ୍ଭର ବିନ୍ଦୁମାତ୍ର ସନ୍ଦେହ ନାହିଁ--

 

ସମ୍ରାଟ ପଞ୍ଚମ ଜର୍ଜ୍ଜ ଆମ୍ଭମାନଙ୍କ ପ୍ରତି କିପରି ସ୍ନେହବାନ୍‌ ତାହା ତାଙ୍କର ଉକ୍ତ ଘୋଷଣାପତ୍ରର ପ୍ରତିକଥାରେ ପୂର୍ଣ୍ଣରୂପରେ ପ୍ରକାଶମାନ । ଯେତେବଳେ ସେ ଭାରତ ଓ ଭାରତବାସିମାନଙ୍କ ପ୍ରସଙ୍ଗରେ କୌଣସି କଥା କହିଅଛନ୍ତି ସେତେବେଳେ ତାଙ୍କର ସେହି ବାକ୍ୟ ଐକାନ୍ତିକତା, ଆନ୍ତରିକତା ଓ ବିମଳ ସହାନୁଭୁତିର ଶୁଭ୍ରତାଦ୍ୱାରା ସମୁଜ୍ଜ୍ୱଳ ହୋଇଥାଏ । ସେ ଭାରତକୁ ଫେରିଯାଇ ଭାରତ ସମ୍ୱନ୍ଧେ ବିଲାତରେ ଯେଉଁ ବକ୍ତୃତା କରିଥିଲେ ଏବଂ ସିଂହାସନରୋହଣ କରି ଯେଉଁ ଘୋଷଣା ପ୍ରଚାର କରିଅଛନ୍ତି ତହିଁରୁ ଉପରୋକ୍ତ ଉକ୍ତିର ଯଥାର୍ଥ୍ୟ ପ୍ରତିପନ୍ନ ହେଉଅଛି ।

 

ଯୁବରାଜ ଜର୍ଜ୍ଜ ସିଂହାସନରୋହଣ କରି ସେଦେଶର କେତେକ ବନ୍ଦିଙ୍କର କାରାବାସ ପରିମାଣ ଊଣା କରିଦେଇଅଛନ୍ତି ଏବଂ କେତେକ ବନ୍ଦିଙ୍କୁ ମୁକ୍ତିପ୍ରଦାନ କରିଅଛନ୍ତି । ଦିଲ୍ଲୀଦରବାର ସମୟରେ ଭାରତବର୍ଷର ବନ୍ଦିମାନଙ୍କପ୍ରତି ମଧ୍ୟ ସେହିପରି ଅନୁଗ୍ରହ ପ୍ରକାଶ ଏବଂ ଭାରତବାସିମାନଙ୍କୁ କୌଣସି ନୂତନ ସୁବିଧା ବା ଅଧିକାର ପ୍ରଦାନ କରିବେ ବୋଲି ସମସ୍ତେ ମନରେ ଆଶା ପୋଷଣ କରିଅଛନ୍ତି । ଏହି ଆଶାର ସଫଳ ଅବଶ୍ୟମ୍ଭାବ୍ୟ ।

 

ନବୀନ ସମ୍ରାଟ ପଞ୍ଚମ ଜର୍ଜ୍ଜଙ୍କର ନୈତିକଆଦର୍ଶ ଇଂଲଣ୍ଡର ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ଅନୁରୂପ । ରୁଷ ସମ୍ରାଟଙ୍କ ପରି ସେ ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ରହିବାକୁ ଅଭିଳାଷୀ । ରାଜଦରବାର ବାହ୍ୟ ଯାକ୍‌ଜମକ ସେ ଭଲ ପାଆନ୍ତି ନାହିଁ । ସେ ତାଙ୍କର ସ୍ତ୍ରୀ ଓ ସନ୍ତାନମାନଙ୍କ ପ୍ରତି ବିଶେଷ ଅନୁରକ୍ତ । ସେମାନଙ୍କ ସଙ୍ଗରେ ସେ ସମୟାତିପାତ କରିବାକୁ ଅତ୍ୟନ୍ତ ଭଲ ପାଆନ୍ତି । ଯେଉଁମାନେ ଉତ୍କୋଚ ଗ୍ରହଣ କରନ୍ତି ସେମାନଙ୍କ ପ୍ରତି ସେ ବିଶେଷ ବିରକ୍ତ । ଅଧ୍ୟୟନ କରିବା ବିଷୟରେ ତାଙ୍କର ଅନୁରାଗ ଅତ୍ୟନ୍ତ ପ୍ରବଳ । ସେ ଗଳ୍ପ ଓ କ୍ରିଡ଼ା ଭଲ ପାଆନ୍ତି । ପଞ୍ଚମ ଜର୍ଜ୍ଜ ରାତ୍ର ଘ ୧୦ଣ୍ଟା ସମୟରେ ଶୟନ କରି ପ୍ରାତଃ ସାର୍ଦ୍ଧ ୬ ଘଣ୍ଟା ସମୟରେ ଶଯ୍ୟା ତ୍ୟାଗ କରନ୍ତି । ସେ ସାକ୍ଷିଗୋପାଳପରି ରାଜା ହୋଇ ରହିବାକୁ ଇଚ୍ଛା କରନ୍ତିନାହିଁ,-ରାଜକାର୍ଯ୍ୟ ସୂକ୍ଷ୍ମଭାବରେ ପର୍ଯ୍ୟାଲୋଚନା କରିବା ତାଙ୍କର ଅଭିପ୍ରେତ । ତାଙ୍କର ବୟସ ବର୍ତ୍ତମାନ ୪୪ ବର୍ଷ । ରାଜକାର୍ଯ୍ୟର ଜଟିଳ ପ୍ରଶ୍ନଗୁଡ଼ିକ ସେ ମନଯୋଗର ସହିତ ଅଧ୍ୟୟନ କରିଅଛନ୍ତି । ତାଙ୍କର ଆକାଙ୍‌କ୍ଷା ଉଚ୍ଚ, କର୍ତ୍ତବ୍ୟଜ୍ଞାନ ଦୃଢ଼ । ସେ ବେଶ ସୁଶୃଙ୍ଖଳାର ସହିତ ଏବଂ ଅତିଚଞ୍ଚଳରେ କର୍ତ୍ତବ୍ୟ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି, ସୁତରାଂ ତାଙ୍କର କେତେବେଳେ ସମୟର ଅଭାବ ଘଟେ ନାହିଁ । ଷ୍ଟେଡ଼ ନାମକ ଜଣେ ସାହେବ ଲଣ୍ଡନର ‘‘ଡେଲିନିୟୂଜ’’ ନାମକ ପତ୍ରିକାରେ ଲେଖିଅଛନ୍ତି,-‘‘ରାଜା ପଞ୍ଚମ ଜର୍ଜ୍ଜଙ୍କୁ ଦେଖିଲେ ବୋଧହୁଏ ସେ ରୁଷ ସମ୍ରାଟ ଦ୍ୱିତୀୟ ନିକୋଲସଙ୍କର ଦେହ ଏବଂ ଇଂଲଣ୍ଡନର ଭୂତପୂର୍ବ ରାଜା ତୃତୀୟ ଜର୍ଜ୍ଜଙ୍କର ମନ ନେଇ ଅବତୀର୍ଣ୍ଣ ହୋଇଅଛନ୍ତି ।’’ ଆମ୍ଭମାନଙ୍କର ନବୀନ ସମ୍ରାଟ ଯେତେ ଭ୍ରମଣ କରିଅଛନ୍ତି ଏପରି ଅନ୍ୟ କୌଣସି ରାଜା ବା ରାଜପୁତ୍ର କରିନାହାନ୍ତି । ଭ୍ରମଣଦ୍ୱାରା ସେ ବିଶେଷ ଅଭିଜ୍ଞତା ଉପାର୍ଜ୍ଜନ କରିଅଛନ୍ତି । ତାଙ୍କର ସେହି ଅଭିଜ୍ଞତା ଏବଂ ଦେବୋପମ ଅଶେଷ ଗୁଣାବଳୀର ସଫଳ ଉପଭୋଗ କରିବା ନିମନ୍ତେ ତାଙ୍କର ସାମ୍ରାଜ୍ୟବାସୀ ପ୍ରଜାସାଧାରଣ ଆଶାପୂର୍ଣ୍ଣ ନେତ୍ରରେ ସୁସମୟର ଅପେକ୍ଷା କରୁଅଛନ୍ତି । ସେମାନଙ୍କର ଆଶାର ସଫଳତା ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛୁଁ ।

 

ଚଳିତ ୧୯୧୧ ଖ୍ରୀଃ ଜୁନମାସ ୨୨ ତାରିଖଦିନ ନବୀନ ସମ୍ରାଟଙ୍କର ଅଭିଷେକ କ୍ରିୟା ମହାସମାରୋହରେ ସମ୍ପନ୍ନ ହୋଇଯାଇଅଛି । ସେହି ଅଭିଷେକୋତ୍ସବରେ ଯୋଗଦେବା ନିମନ୍ତେ ବ୍ରିଟିଶ ଗବର୍ଣ୍ଣମେଣ୍ଟଙ୍କ ଶାସନାଧୀନ ସକଳ ସ୍ଥାନର ପ୍ରତିନିଧିମାନେ, ବନ୍ଧୁ ରାଜା-ସମ୍ରାଟଙ୍କର ପ୍ରତିନିଧିମାନେ, ନାନାଦେଶର ଅନେକ ଦର୍ଶକ, ଭାରତର ଅନେକ ସୈନ୍ୟ, କେତେକ ପ୍ରତିନିଧି ଏବଂ ପ୍ରସିଦ୍ଧ ନରପତି ଲଣ୍ଡନକୁ ଯାଇଥିଲେ । ଉତ୍ସବର ବର୍ଣ୍ଣନା ବଚନାତୀତ । ନଗରର ସଜ୍ଜା ଓ ଆଲୋକ ନିମନ୍ତେ ୧୫ ଲକ୍ଷଟଙ୍କା ଖରଚ ହୋଇଥିଲା ଏବଂ ଶାନ୍ତିରକ୍ଷା ସକାଶେ ଆମ୍ଭମାନଙ୍କ ଭୂତପୂର୍ବ୍ବ ବଡ଼ସେନାପତି ଲର୍ଡ଼ କିଚନାରଙ୍କୁ ନିଯୁକ୍ତ କରାଯାଇ ତାଙ୍କ ଅଧୀନରେ ୪୫ ହଜାର ସୈନ୍ୟ ଏବଂ ଅତିରିକ୍ତ ପୋଲିସ ରଖାଯାଇଥିଲା । ସେ ପ୍ରାୟ ୬୦ ହଜାରଲୋକ ନେଇ ସୁନ୍ଦରରୂପେ ଶାନ୍ତିରକ୍ଷା କରିଥିଲେ । ଏହି ଦୁଇ ସମ୍ୱାଦରୁ ଉତ୍ସବ ଉପଲକ୍ଷେ କିପରି ଜନତା ଏବଂ କିପରି ବିରାଟ ଆୟୋଜନ ହୋଇଥିଲା ତାହା ପାଠକମାନେ ବିବେଚନା କରନ୍ତୁ ।

 

ଅଭିଷେକ ବାସରରେ ସମ୍ରାଟମହୋଦୟ ତଦୀୟ ସହଧର୍ମ୍ମିଣୀଙ୍କ ସହିତ ଜନତା ମଧ୍ୟ ଦେଇ ସୁସଜ୍ଜିତ ରାଜମାର୍ଗରେ ଅଷ୍ଟାଶ୍ୱ ଯୋଜିତ ଶକଟରେ ଆଗମନ କରି ଅତି ସୁନ୍ଦରରୂପେ ସଜ୍ଜିତ ହୋଇଥିବା ଓୟେଷ୍ଟ ମିନିଷ୍ଟାର ଆବିନାମକ ସ୍ୱଭାବରମଣୀୟ ଭଜନାଳୟରେ ଉପସ୍ଥିତ ହେଲେ । ସେ ସମୟରେ ୭ ହଜାର ଗଣ୍ୟମାନ୍ୟ ଲୋକ ସେହି ଭଜନାଳୟରେ ଆସୀନ ଥିଲେ । ସମ୍ରାଟଙ୍କ ପ୍ରବେଶପରେ କ୍ୟାଣ୍ଟର ବରିର ଆର୍ବ୍ବବିଶପ-ପ୍ରଧାନ ପୁରୋହିତଙ୍କର ସମ୍ମୁଖୀନ ହୋଇ ଚିରାଚରିତ ପ୍ରଥାନୁସାରେ କେତେକ ପ୍ରାଚୀନ ପ୍ରତିଶ୍ରୁତିର କଥା ଉଲ୍ଲେଖ କରି ତହିଁର ଉତ୍ତର ଶ୍ରବଣ କରିଥିଲେ । ଯଥା,

 

ପୁରୋହିତ

-

ଆପଣ କଅଣ ଶପଥ ଗ୍ରହଣ କରିବାକୁ ସମ୍ମତ ଅଛ ?

ସମ୍ରାଟ

-

ହଁ, ମୁଁ ସମ୍ମତ ଅଛି ।

ପୁ

-

ଆପଣ ପାର୍ଲିୟାମେଣ୍ଟର ବିଧିବ୍ୟବସ୍ଥା ଏବଂ ଦେଶର ଚିରପ୍ରସିଦ୍ଧ ବ୍ୟବହାର ଓ ପ୍ରଥା ମାନି ପ୍ରଜାଶାସନ କରିବାପାଇଁ ପ୍ରତିଶ୍ରୁତ ହୋଇ ଶପଥ କରିବେତ ?

-

ମୁଁ ନିଶ୍ଚୟରେ ସେ ବିଷୟରେ ପ୍ରତିଜ୍ଞାପାଶରେ ଆବଦ୍ଧ ହେଲି ।

ପୁ

-

ଆପଣ ବିଚାର କାର୍ଯ୍ୟର ବିଧିବ୍ୟବସ୍ଥା ଓ ନ୍ୟାୟଦୟାଦି ପ୍ରଦର୍ଶନ କରି ଚଳିବେତ ?

-

ହଁ, ସେସବୁ ବିଷୟରେ ଅବଶ୍ୟ ଦୃଷ୍ଟି ରଖିବି ।

ପୁ

-

ଆପଣ ଧର୍ମ୍ମମତରେ,-ଧର୍ମ୍ମଶାସ୍ତ୍ରରେ ମତି ରଖିବେତ ? ଇଂଲଣ୍ଡସ୍ଥ ଧର୍ମ୍ମମନ୍ଦିର ସମୂହର ଚିରପ୍ରତିଷ୍ଠିତ ନିୟମ, ଉପାସନା ପ୍ରଣାଳୀ ଓ ବିଧିବ୍ୟବସ୍ଥା ସ୍ଥିର ଓ ଅକ୍ଷୁର୍ଣ୍ଣ ରଖିବେତ ? ପାଦ୍‌ରୀମାନଙ୍କର ଯେଉଁସବୁ ସ୍ୱତ୍ୱ ଓ ଅଧିକାର ଅଛି ସେସବୁ ଅବ୍ୟାହତ ରଖିବେତ ?

-

ମୁଁ ଏହିସବୁ କଥାର କୌଣସି ବିଷୟରେ ବ୍ୟତିକ୍ରମ କରିବିନାହିଁ ।

 

ଏହିପରି କଥୋପକଥନ ପରେ ସମ୍ରାଟ ପବିତ୍ର ବେଦୀର ସୋପାନରେ ପ୍ରାର୍ଥନା କଲାପରି ବସି ବାଇବେଲ (ଧର୍ମ୍ମ ଶାସ୍ତ୍ର) ସ୍ପର୍ଶ କରି କହିଲେ,-‘‘ ହେ ଈଶ୍ୱର ! ଯେଉଁସବୁ ବିଷୟରେ ମୁଁ ପ୍ରତିଜ୍ଞାବଦ୍ଧ ହେଲି ସେହିସବୁ ପ୍ରତିଜ୍ଞାପାଳନ ସକାଶେ ତୁମ୍ଭେ ମତେ ଶକ୍ତି ପ୍ରଦାନ କର ।’’ ଅତଃପର ସେ ବାଇବେଲ ଚୁମ୍ୱନ ଏବଂ ପ୍ରତିଜ୍ଞାପତ୍ରରେ ସ୍ୱାକ୍ଷର କଲେ । ତଦନନ୍ତର କେତେକ ଅନୁଷ୍ଠାନ ହେବାପରେ ପ୍ରଧାନ ପୁରୋହିତ ତାଙ୍କ ହସ୍ତରେ ତରବାରୀ ପ୍ରଦାନ କରି କହିଲେ, ‘‘ଆପଣ ନ୍ୟାୟ ବିଧାନ କରିବେ । ଅସାମ୍ୟଭାବ ଉତ୍ପତ୍ତି ନ ହେବାପ୍ରତି ଦୃଷ୍ଟି ରଖିବେ । ଧର୍ମ୍ମମନ୍ଦିରମାନ ରକ୍ଷା କରିବେ । ବିଧବା ଓ ଅନାଥ ଶିଶୁମାନଙ୍କୁ ସାହାଯ୍ୟ କରିବେ । ଜୀର୍ଣ୍ଣପ୍ରାପ୍ତ ଦ୍ରବ୍ୟ ସମୂହର ପୁନଃ ସଂସ୍କାର କରିବେ । ସଂସ୍କୃତ ଦ୍ରବ୍ୟାଦି ରକ୍ଷା କରିବେ । ପାପ କାର୍ଯ୍ୟର ଶାସନ ଓ ପୁଣ୍ୟ କାର୍ଯ୍ୟର ସଂରକ୍ଷଣ କରିବେ ।’’ ଏହାପରେ ସେ ସମ୍ରାଟଙ୍କୁ କ୍ରମରେ ଚକ୍ର ଅଙ୍ଗୁରୀ, ଏବଂ କ୍ରୂଶସଂଯୁକ୍ତ ରାଜଦଣ୍ଡ ଯଥାରୀତି ପ୍ରଦାନ କଲେ । ତଦନନ୍ତର ସମ୍ରାଟଙ୍କୁ ବାମହସ୍ତରେ ଅନ୍ୟ ଏକ ରାଜଦଣ୍ଡ ପ୍ରଦାନ କରି କହିଲେ,-‘‘ଆପଣ ଦୟା ଓ ସାମ୍ୟର ନିଦର୍ଶନ ସ୍ୱରୂପ ଏହି ଦଣ୍ଡ ଗ୍ରହଣ କରନ୍ତୁ, ଆପଣ ଏପରି ଭାବରେ ଦୟା କରିବେ ଯେ ଯହିଁରେ ନ୍ୟାୟର ମର୍ଯ୍ୟାଦା ନଷ୍ଟ ନ ହେବ । ଆଉ ଏପରି ଭାବରେ ବିଚାର କରିବେ ଯେ ତଦ୍ଦ୍ୱାରା ନ୍ୟାୟର ମର୍ଯ୍ୟଦା ସଂରକ୍ଷିତ ହେବ । ଆପଣ ଶିଷ୍ଟର ପାଳନ ଓ ଦୁଷ୍ଟର ଶାସନ କରନ୍ତୁ । ଯେଉଁ ପଥରେ ପ୍ରକୃତିପୁଞ୍ଜ ଚଳିବା ଉଚିତ ଆପଣ ସେହି ପଥରେ ସେମାନଙ୍କୁ ପରିଚାଳିତ କରନ୍ତୁ । ଅତଃପର ରାଜା ଓ ରାଣୀଙ୍କୁ ରାଜମୁକୁଟ ପ୍ରଦାନ କରାଗଲା । ସେମାନେ ତାହା ଧାରଣ କରିବା ପରେ ରାଜସିଂହାସନରେ ବସି ପ୍ରଜାମାନଙ୍କର ଶ୍ରଦ୍ଧାର ପୂଜା ଗ୍ରହଣ କରିଥିଲେ । ଅଭିଷେକ ପରେ ସମ୍ରାଟ ସହଧର୍ମ୍ମିଣୀଙ୍କ ସହିତ ଖୋଲା ଗାଡ଼ୀରେ ବସି ପ୍ରତ୍ୟାଗମନ କରିବାରୁ ଦର୍ଶକମାନେ ତାଙ୍କର ଦର୍ଶନ ଲାଭ କରି ଆନନ୍ଦର ସହିତ ସେମାନଙ୍କର ଦୀର୍ଘଜୀବନ କାମନା କରିଥିଲେ ।

 

ଅଭିଷେକ ଦିବସ ଯେ କେବଳ ଲଣ୍ଡନ ବା ଇଂଲଣ୍ଡରେ ଉତ୍ସବ ହୋଇଥିଲା ଏପରି ନୁହେ,-ସରକାରୀ ଆଦେଶ ବା ସଙ୍କେତ କିଛି ନ ଥିଲେ ମଧ୍ୟ ଭାରତର ରାଜଭକ୍ତ ପ୍ରଜାମାନେ ଭାରତର ନଗରେ ନଗରେ ଗ୍ରାମେ ଗ୍ରାମେ ଦୀନ ଦରିଦ୍ରଙ୍କୁ ଦାନ, ଦେବାର୍ଚ୍ଚନା, ସମ୍ରାଟ ଦମ୍ଫତିଙ୍କର ଦୀର୍ଘଜୀବନ କାମନା, ସଭାସମିତି, ଆତସବାଜୀ ନୃତ୍ୟ ଗୀତାଦି ନାନାପ୍ରକାର ଆନନ୍ଦୋତ୍ସବ କରିଥିଲେ ।

 

ଅଭିଷେକ ଦିବସ ଆମ୍ଭମାନଙ୍କର ମହାମାନ୍ୟ ରାଜପ୍ରତିନିଧି ଏବଂ ଗବର୍ଣ୍ଣର ଜେନରେଲ ଲର୍ଡ଼ ହାଡ଼ଂ ଭାରତ ଗବର୍ଣ୍ଣମେଣ୍ଟ ଏବଂ ଭାରତବାସିମାନଙ୍କ ପକ୍ଷରୁ ସମ୍ରାଟ ଓ ତାଙ୍କ ସହଧର୍ମ୍ମିଣୀଙ୍କ ତାର ଯୋଗେ ରାଜଭକ୍ତି ଜ୍ଞାପନ କରିଥିଲେ, ସମ୍ରାଟ ତଦୁତ୍ତରରେ ଲର୍ଡ଼ ହାଡ଼ଂଙ୍କ ଜଣାଇଅଛନ୍ତି,-‘‘ରାଜ୍ୟାଭିଷେକ ଦିବସରେ ଭାରତ ଗର୍ଣ୍ଣମେଣ୍ଟ ଏବଂ ଭାରତୀୟ ପ୍ରଜାମାନଙ୍କ ପ୍ରତିନିଧି ସ୍ୱରୂପ ଆପଣ ଯେଉଁ ଆନନ୍ଦ ଜ୍ଞାପନ କରିଅଛନ୍ତି ତହିଁରେ ଆମ୍ଭର ସହଧର୍ମ୍ମିଣୀ ଓ ଆମ୍ଭେ ଆନନ୍ଦିତ ହୋଇଅଛୁଁ । ସେମାନଙ୍କୁ ଆମ୍ଭମାନଙ୍କର ଆନ୍ତରିକ ଧନ୍ୟବାଦ ଜଣାଇ ଦେବେ ଏବଂ କହିବେ ଯେ ସେମାନଙ୍କ ରାଜଭକ୍ତି ପ୍ରଣୋଦିତ ହୃଦୟର ଭାବ ଆମ୍ଭେ ଅନୁଭବ କରିପାରିଅଛୁଁ ।’’

 

ଆମ୍ଭମାନଙ୍କର ସଦାଶୟ ସମ୍ରାଟ ବାଳକ ବାଳିକାମାନଙ୍କ ସ୍ନେହ ଚକ୍ଷୁରେ ଦେଖନ୍ତି । ସେ ଅଭିଷେକ ଉପଲକ୍ଷେ ଲଣ୍ଡନର ବାଳକ ବାଳିକାମାନଙ୍କ ଆମୋଦ ପ୍ରମୋଦର ସୁବ୍ୟବସ୍ଥା କରିଥିଲେ । ସ୍ପେଶଲ ଟ୍ରେନ ବା ଅତିରିକ୍ତ ରେଲଗାଡ଼ୀଦ୍ୱାରା ବାଳକ ବାଳିକାମାନଙ୍କୁ ବ୍ରିଷ୍ଟଲ ପ୍ରାସାଦକୁ ଅଣାଇ ସେମାନଙ୍କୁ ସୁଖାଦ୍ୟ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଚିତ୍ତରଞ୍ଜନ ନିମନ୍ତେ ନାନା ଆୟୋଜନ କରିଥିଲେ । ସେହି ମିଳନ କ୍ଷେତ୍ରରେ ସମ୍ରାଟ ମହୋଦୟ ଦୁଇପୁତ୍ର ଓ ପତ୍ନୀଙ୍କ ସହିତ ଉପସ୍ଥିତ ଥିଲେ । ସମବେତ ବାଳକମାନେ ଆନନ୍ଦ ଧ୍ୱନି କରି ସପତ୍ନୀକ ସମ୍ରାଟଙ୍କର ଅଭ୍ୟର୍ଥନା କରିଥିଲେ । ସମ୍ରାଟ ଏକସମୟରେ ଏକସ୍ଥାନରେ ଲକ୍ଷ ସଂଖ୍ୟକ ବାଳକ ବାଳିକା ଦେଖି ଯେପରି ଆନନ୍ଦିତ ହୋଇଥିଲେ ସେମାନଙ୍କର ଶାନ୍ତଭାବ, ଶିଷ୍ଟାଚାର, ରାଜଭକ୍ତି ଓ ଆତ୍ମସଂଯମ ଦେଖି ସେହିପରି ପ୍ରୀତି ହୋଇଥିଲେ । ସେ ଏ ସବୁ ଦେଖି କହିଅଛନ୍ତି,-‘‘ ଏ ଦୃଶ୍ୟ ମୁଁ ବିସ୍ମତ ହୋଇପାରିବି ନାହିଁ, ଲଣ୍ଡନରେ ଯେ ଏପରି ବାଳକ ବାଳିକା ଜନ୍ମି ଅଛନ୍ତି ଲଣ୍ଡନ ପକ୍ଷରେ ଏହା ଗୌରବର ବିଷୟ । ସେମାନଙ୍କର ବ୍ୟବହାର ଦେଖି ବିଶ୍ୱାସ ହୁଏ ଯେ ଏଦେଶର ଭବିଷ୍ୟତ୍‌ ଉଜ୍ଜଳମୟ ଅଟେ” ।

 

ନବୀନ ସମ୍ରାଟ ଏବଂ ତଦୀୟ ମହିଷୀଙ୍କର ସଂକ୍ଷିପ୍ତ ପରିଚୟ ପାଠକମାନଙ୍କୁ ଜଣାଇଲୁଁ-। ଏଥିରୁ ପାଠକମାନେ ତାଙ୍କର ସର୍ବ୍ବତେ ମୁଖୀକ୍ଷମତା ସହୃଦୟତା ପ୍ରଜାବତ୍ସଳତା, ସାହସିକତା ପରୋପକାରୀତା ଆଦି ଦେବଦୁର୍ଲ୍ଲଭ ଗୁଣର ପରିଚୟ ପ୍ରାପ୍ତ ହୋଇ ପରମପ୍ରୀତ ହେବେ ଏବଂ ସେ ସପରିବାରରେ ଚିରଜୀବୀ, ହେଉନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବେ ବୋଲି ବିଶ୍ୱାସ କରୁଁ ।

 

ଆମ୍ଭମାନଙ୍କର ବର୍ତ୍ତମାନ ସମ୍ରାଟ ଆପଣାର ସହଧର୍ମ୍ମିଣୀଙ୍କ ସହିତ ଆପଣାର ପୁତ୍ରୋପମ ପ୍ରଜାମାନଙ୍କୁ ଶଙ୍ଖୋଳିବା ନିମନ୍ତେ ଆଗାମୀ ଡ଼ିସମ୍ୱର ମାସରେ ଏଦେଶକୁ ଆଗମନ କରି ସେହି ମାସ ୧୨ ତାରିଖରେ ଦିଲ୍ଲୀନଗରରେ ଏକ ଦରବାର କରିବେ, ତଦୁପଲକ୍ଷେ କେତେକ ମାସ ପୂର୍ବ୍ବରୁ ବିପୁଳ ଆୟୋଜନ ଲାଗିଅଛି । ଦରବାର ନିମନ୍ତେ ସୁବିଶାଳ ସମତଳକ୍ଷେତ୍ର ନିର୍ବ୍ବାଚନ କରାଯାଇ ରେଲଷ୍ଟେଶନଠାରୁ ଦରବାର କ୍ଷେତ୍ରପର୍ଯ୍ୟନ୍ତ ଯାତାୟତର ସୁବିଧା ପାଇଁ ରେଲପଥ ପ୍ରସ୍ତୁତ ହୋଇଅଛି । କବାଏତ ନିମନ୍ତେ ୯୨ ହଜାର ସୈନ୍ୟର ସମାଗମ ହେବ । ଦରବାର ଉପଲକ୍ଷେ ସମାଗମ ବ୍ୟକ୍ତିମାନଙ୍କ ପତ୍ରାଦି ଆଦାନ ପ୍ରଦାନର ସୁବିଧା ନିମନ୍ତେ ଦରବାର କ୍ଷେତ୍ରମଧ୍ୟରେ ଗୋଟିଏ ସେଣ୍ଟ୍ରୋଲ ପୋଷ୍ଟାଫିସ ଅଧୀନରେ ୫୦ ଗୋଟା ପୋଷ୍ଟାଫିସ ସ୍ଥାପନ କରାଯିବ । ୮ ଲକ୍ଷ ଦର୍ଶକଙ୍କର ଆମୋଦ ପ୍ରମୋଦ ଏବଂ ଭୋଜୀର ବ୍ୟବସ୍ଥା କରାଯିବ । ଏଥିର ଦରବାରର ବିରାଟତା ସହଜରେ ଅନୁମେୟ । ପୁରାଣ ବର୍ଣ୍ଣିତ ଯୁଧଷ୍ଠିରଙ୍କର ରାଜସୂୟଯାଗୋତ୍ସବକୁ ଏ ଉତ୍ସବ ପରାସ୍ତ କରିବ ଏଥିରେ ସନ୍ଦେହନାହିଁ ।

 

ସ୍ୱର୍ଗୀୟ ସମ୍ରାଟ ଓ ବର୍ତ୍ତମାନ ସମ୍ରାଟ ଯୁବରାଜ ଅବସ୍ଥାରେ ଏଦେଶକୁ ଆଗମନ କରିଥିଲେ, ମାତ୍ର କେହି ସମ୍ରାଟ ବା ସମ୍ଭାଜ୍ଞୀରୂପେ ଏଦେଶକୁ ଶୁଭାଗମନ କରି ନ ଥିଲେ । ନବୀନ ସମ୍ରାଟ ଆପଣାର ସହଧର୍ମ୍ମିଣୀଙ୍କ ସହିତ ଏଦେଶକୁ ଆଗମନ କରିବାର ଜାଣି ଭାରତର ରାଜଭକ୍ତ ପ୍ରଜାସାଧାରଣ ଏବଂ ରାଜନ୍ୟବର୍ଗ ଆନନ୍ଦ ବିହ୍ୱଳ ହୋଇଅଛନ୍ତି । ସେମାନଙ୍କ ଶୁଭାଗମନ ଉପଲକ୍ଷେ ଭାରତର ଗୃହେ ଗୃହେ, ଗ୍ରାମେ ଗ୍ରାମେ, ନଗରେ ନଗରେ, ମହାମହୋତ୍ସବ ହେବାର ବ୍ୟବସ୍ଥା ହେଉଅଛି । ସମ୍ରାଟଙ୍କ ଶୁଭାଗମନ ଭାରତ ପକ୍ଷରେ ଗୋଟିଏ ଆନନ୍ଦପ୍ରଦ ଅଭିନବ ଘଟନା । ସେହି ଶୁଭଦିନ ଶୀଘ୍ର ସମୀପବର୍ତ୍ତୀ ହେଉ ସମସ୍ତେ ଏହି କାମନା କରୁଅଛନ୍ତି ।

 

ନବୀନ ସମ୍ରାଟଙ୍କ ରାଜତ୍ୱରେ ଦେଶ ଶାନ୍ତିମୟ ହେଉ-ଦୁଃଖ ଦାରିଦ୍ର ଦୂର ହେଉ, ସପରିବାରରେ ସମ୍ରାଟ ଦୀର୍ଘଜୀବୀ ହୋଇ ଅଖଣ୍ଡ ସୁଖଶାନ୍ତି ଲାଭ କରି ଯଶସ୍ୱୀ ହେଉନ୍ତୁ ଏହି କାମନା କରି ପ୍ରାଚୀନ କବିବାକ୍ୟରେ ତାହାଙ୍କ ଉଦ୍ଦେଶ୍ୟରେ ଏହି ଆଶୀର୍ବ୍ବାଣୀ ଉଚ୍ଚାରଣ କରୁଅଛୁଁ ।

 

‘‘ଆୟୁର୍ଦ୍ରୋଣସୁତେ ଶ୍ରିୟୋ ଦଶରଥେ ଶତ୍ରୂକ୍ଷୟୋ ରାଘବେ,

ଐଶ୍ୱର୍ଯ୍ୟଂ ନହୁଷେ ଗତିଶ୍ଚ ପବନେ ମାନଞ୍ଚ ଦୁର୍ଯ୍ୟୋଧନେ,

ଶୌର୍ଯ୍ୟଂ ଶାନ୍ତନବେ ବଳଂ ହଳଧରେ ସତ୍ୟଞ୍ଚ କୁନ୍ତୀସୁତେ,

ଯଜ୍‌ଜ୍ଞାନଂବିଦୁରେ ତଦସ୍ତୁ ସତତଂ ଭକ୍ତିଶ୍ଚ ନାରାୟଣେ” ।

 

ଅର୍ଥ - ହେରାଜନ୍‌! ଅଶ୍ୱଥିାମା ପରି ଆୟୁ, ଦଶରଥ ତୁଲ୍ୟ ଲକ୍ଷ୍ମୀ, ରାମଚନ୍ଦ୍ରଙ୍କ ପରି ଶତ୍ରୁକ୍ଷୟ, ନହୁଷଙ୍କ ପରି ଐଶ୍ୱର୍ଯ୍ୟ, ପବନତୁଲ୍ୟ ଗତି, ଦୁର୍ଯ୍ୟୋଧନଙ୍କ ପରି ମାନ, ଭୀଷ୍ମଙ୍କ ତୁଲ୍ୟ ଶୌର୍ଯ୍ୟ, ବଳରାମଙ୍କ ପରି ବଳ, ଯୁଧିଷ୍ଠିରଙ୍କ ପରି ସତ୍ୟନିଷ୍ଠା, ଏବଂ ବିଦୁରଙ୍କ ତୁଲ୍ୟ ଜ୍ଞାନ ଆପଣଙ୍କଠାରେ ବିଦ୍ୟମାନ ହେଉ ଏବଂ ନାରାୟଣଙ୍କ ପ୍ରତି ଆପଣଙ୍କର ଅଚଳା ଭକ୍ତିଥାଉ ।

 

ଶ୍ରୀଶୁଭମସ୍ତୁ